ଭୁବନେଶ୍ୱର: ରାଜଧାନୀରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଭଲ ମେଡିକାଲ କଲେଜ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କ୍ୟାପିଟାଲ ହସ୍ପିଟାଲକୁ ପୁନଃବିକାଶ ସହିତ ପିଜି ସହ ୟୁଜି ଖୋଲିବାକୁ ଏବଂ ବଡ଼ ମେଡିକାଲ କଲେଜ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବାକୁ ଯୋଜନା କରୁଛନ୍ତି। ଏହି ଯୋଜନାରେ କେବଳ ୨୦୨୫ ମସିହାରେ ୫,୦୦୦ରୁ ଅଧିକ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ମଙ୍ଗଳବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ CII-ଓଡ଼ିଶା ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫ ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଯୁକ୍ତି ଯୋଜନାକୁ ନିଶ୍ଚିତ କରିଛନ୍ତି।
ଏଥିମଧ୍ୟରେ ଜଗତ୍ସିଂହପୁର, ଭଦ୍ରକ, ଢେଙ୍କାନାଳ, ଏବଂ ନବରଙ୍ଗପୁର ଜିଲ୍ଲାରେ ଚାରିଟି ଏମବିବିଏସ୍ କଲେଜ, ବୁର୍ଲା, ବ୍ରହ୍ମପୁର , କେନ୍ଦୁଝର ଏବଂ ବଲାଙ୍ଗୀରର ଚାରିଟି ଡେଣ୍ଟାଲ କଲେଜ ଏବଂ ମୟୂରଭଞ୍ଜର ଗୋଟିଏ ଆୟୁର୍ବେଦିକ କଲେଜ ଅନ୍ତର୍ଭୁକ୍ତ କରାଯିବ। ସେହିପରି ତାଳଚେର ଏବଂ ଫୁଲବାଣୀରେ ଦୁଇଟି ଅତିରିକ୍ତ ମେଡିକାଲ କଲେଜ କରାଯିବ। ଏନେଇ ବଜେଟ୍ ଅନୁମୋଦନ ମିଳିଥିବା ସେ କହିଛନ୍ତି।