ପୁଣି କୋଲକାତା, ପୁଣି ଲଜ୍ଜା: ଆଇନ ମହାବିଦ୍ୟାଳୟ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ

କୋଲକାତା: କୋଲକାତାରେ ପୁଣି ଲଜ୍ଜା। ସାଉଥ କାଲକାତା ଲ କଲେଜରେ ଜଣେ ୨୪ ବର୍ଷୀୟ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ଧିରେଧିରେ ତେଜିବାରେ ଲାଗିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମନୋଜିତ ମିଶ୍ର (୩୧), ସେହି କଲେଜର ପ୍ରଥମ ବର୍ଷର ଛାତ୍ର ଜାଇବ ଅହମଦ (୧୯) ଏବଂ ଅନ୍ୟ ଜଣେ ଛାତ୍ର ପ୍ରମିତ ମୁଖାର୍ଜୀ (୨୦) ରହିଛନ୍ତି ।

ତେବେ ମୁଖ୍ୟ ଅଭିଯୁକ୍ତ ମନୋଜିତ ଜଣେ ପୂର୍ବତନ ଛାତ୍ର ତଥା ତୃଣମୂଳ କଂଗ୍ରେସର ଛାତ୍ର ସଂଗଠନ ଛାତ୍ର ପରିଷଦର ଦକ୍ଷିଣ କୋଲକାତା ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ କର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି। ଏହି ଘଟଣା ଗତ ବୁଧବାର (୨୫ ଜୁନ ୨୦୨୫) ସନ୍ଧ୍ୟା ୭ଟା ୩୦ ରୁ ୧୦ଟା ୫୦ ମଧ୍ୟରେ ମହାବିଦ୍ୟାଳୟ ପରିସରରେ ଘଟିଥିବା ନେଇ ଅଭିଯୋଗ ହୋଇଛି। ଗିରଫ ହୋଇଥିବା ତିନି ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ଚାରି ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ପରୀକ୍ଷା ଫର୍ମ ଜମା ଦେବା ପାଇଁ କଲେଜକୁ ଆସିଥିଲେ। ଏହି ସମୟରେ ମନୋଜିତ ମିଶ୍ର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାଙ୍କର ପୂର୍ବରୁ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କ ଥିବା କାରଣରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ତାଙ୍କୁ ଜବରଦସ୍ତ ଗାର୍ଡ ରୁମକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଏବଂ ତାଙ୍କ ପ୍ରେମିକଙ୍କୁ ମାରିଦେବା ସହ ତାଙ୍କ ପିତାମାତାଙ୍କୁ ଗିରଫ କରାଇବାର ଧମକ ଦେଇଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ଦୁଷ୍କର୍ମର ଭିଡିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରିଥିଲେ ଏବଂ ତୃଣମୂଳର ଛାତ୍ର ସଂଗଠନ ପ୍ରତି ନିଷ୍ଠା ଦେଖାଇବାକୁ ବାଧ୍ୟ କରିଥିଲେ।

ଏହି ଘଟଣା କୋଲକାତାରେ ମହିଳାଙ୍କ ସୁରକ୍ଷା ପ୍ରତି ପୁଣି ଥରେ ପ୍ରଶ୍ନ ଉଠାଇଛି, ଯାହା ଆରଜି କର ମାମଲା ପରେ ସାରା ଦେଶରେ ବିକ୍ଷୋଭର କାରଣ ହୋଇଥିଲା। ତେବେ ଏ ମାମଲା ନେଇ ତଦନ୍ତ ଜାରି ରହିଛି ଏବଂ ପୋଲିସ ଅଧିକ ପ୍ରମାଣ ସଂଗ୍ରହ କରୁଛି।

Leave A Reply

Your email address will not be published.