ପୁରୀ: ପୁରୀ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦଳଚକଟାରେ ଅବହେଳା ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପି । ଏଥିସହିତ ଡିସିପିଙ୍କ ସହ ଜଣେ କମାଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି । ଘଟଣାକୁ ଅକ୍ଷମଣୀୟ ଅବହେଳା କହିବା ପରେ ସୁରକ୍ଷା ବ୍ୟବସ୍ଥାରେ ସିଧାସଳଖ ଜଡିତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ପ୍ରତି କିଛି ଏପରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏନେଇ ଘଟଣାର ତଦନ୍ତ ପାଇଁ ଏକ ବୈଠକ କରିବା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନିଜ ଏକ୍ସରେ ମଧ୍ୟ ସେ ସୂଚନା ଦେଇଛନ୍ତି ।
ଆଜି ଭୋର ସକାଳୁ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟାରେ ୩ ଜଣଙ୍କର ମୃତ୍ୟୁ ହେବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଛି । ତାଙ୍କ ସ୍ଥାନରେ ଏବେ ଚଞ୍ଚଳ ରାଣାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି । ସେହିପରି ରଥ ଅଘଟଣ ପାଇଁ ପୁରୀ ଏସ୍ପି ବିନିତ ଅଗ୍ରୱାଲ ବି ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଇପିଏସ୍ ପିନାକ ମିଶ୍ର ଏବେ ପୁରୀ ଏସପି ଦାୟିତ୍ବ ତୁଲାଇବେ । ଯାହାଙ୍କର ପୂର୍ବରୁ ପୁରୀ ଏସପି ଭାବେ ଅଭିଜ୍ଞତା ରହିଛି ମଧ୍ୟ ।
ଏହାବ୍ୟତୀତ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ସରକାର ରଥଯାତ୍ରା ସମୟରେ ଅବହେଳା ପାଇଁ ତଦନ୍ତ ପର୍ଯ୍ୟନ୍ତ ସିଧା ସସ୍ପେଣ୍ଡ୍ କରିଛନ୍ତି । ଆଉ ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନାର ଅତିରିକ୍ତ ଦାୟିତ୍ବ ମିଳିଛି। ସେ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ତୁଲାଉଥିବା ବେଳେ ବର୍ତ୍ତମାନ ତାହା ସହ ରଥଯାତ୍ରା ନସରିବା ପର୍ଯ୍ୟନ୍ତ ରଥ ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇବେ । ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ତେବେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପୁରୀରେ ଘଟିଥିବା ଦୁଃଖଦ ଦଳାଚକଟା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରିଥିଲେ । ଆଉ ସରକାରୀ ବିଜ୍ଞପ୍ତି ଦ୍ବାରା ଦଳାଚକଟା ପାଇଁ ଦାୟୀ ଅବହେଳା ପାଇଁ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି । ଏଥିସହିତ ଶରଧାବାଲି ନିକଟରେ ଭିଡ଼ ଯୋଗୁଁ ଦଳାଚକଟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।