ଶେଖ ହାସିନାଙ୍କୁ ୬ ମାସର ଜେଲ ଦଣ୍ଡାଦେଶ

ଢାକା: ବାଂଲାଦେଶର ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ ହାସିନାଙ୍କୁ ଅଦାଲତଙ୍କ ଅବମାନନା ଅଭିଯୋଗରେ ୬ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି।

ତେବେ ଗତ ବର୍ଷ ଅକ୍ଟୋବରରେ ତାଙ୍କର ଏକ ଫୋନ୍ କଲ୍ ଲିକ୍ ହେବା ପରେ ଏହି ମାମଲା ଦାୟର କରାଯାଇଥିଲା। ସେହି ମାମଲାର ତଦନ୍ତ କରି ଜଷ୍ଟିସ୍ ମହମ୍ମଦ ଗୋଲାମ ମୋର୍ତୁଜା ମୋଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିଟି-1 ର ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ବୁଧବାର ଏହି ରାୟ ଦେଇଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଶେଖ ହାସିନା କୋର୍ଟର ମର୍ଯ୍ୟାଦାକୁ ଆଘାତ କରିବା ଭଳି ବୟାନ ଦେଇଥିଲେ ଯାହାକି  ନ୍ୟାୟ ବ୍ୟବସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

ତେବେ ଆଇସିଟି ହେଉଛି ୧୯୭୧ର ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଯୁଦ୍ଧ ଅପରାଧର ତଦନ୍ତ ଏବଂ ବିଚାର କରିବା ପାଇଁ ଗଠିତ ହୋଇଥିବା ଏକ ସ୍ୱତନ୍ତ୍ର ଅଦାଲତ। ମହମ୍ମଦ ୟୁନୁସ୍ ଏହାକୁ ବ୍ୟବହାର କରି ଶେଖ ହସିନା ଏବଂ ତାଙ୍କ ଦଳର ରାଜନୀତିକୁ ସବୁଦିନ ପାଇଁ ଶେଷ କରିବାକୁ ଚାହୁଁଥିବା କୁହାଯାଉଛି।

ଶେଖ୍ ହସିନାଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଶକିଲ ଆକନ୍ଦ ବୁଲବୁଲଙ୍କ ସହ କଥା ହୋଇ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ୨୨୭ ମାମଲା ପଞ୍ଜିକୃତ ହୋଇଥିବାରୁ ସେ ସମାନ ସଂଖ୍ୟକ ଲୋକଙ୍କୁ ହତ୍ୟା କରିପାରିବେ। ତେବେ ଗତ ବର୍ଷ ଅଗଷ୍ଟରେ ଶେଖ ହସିନାଙ୍କ ସରକାର ଟଳିବା ପରଠାରୁ ମହମ୍ମଦ ୟୁନୁସ୍ ବର୍ତ୍ତମାନ୍  ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭୂମିକାରେ ଅଛନ୍ତି।

Leave A Reply

Your email address will not be published.