ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁବାର ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ”ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ”ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ଏହି ଶବରୀ ଭବନ କେବଳ ଏକ ଆଶ୍ରୟସ୍ଥଳ ନୁହେଁ – ଏହା ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ ବୋଲି କହିବା ସହିତ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ଵଳ୍ପକାଳୀନ ରହଣି ସହିତ ଶିକ୍ଷା, କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ।
ଆଜିର ଶବରୀ ଭବନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଠାରେ ସମ୍ମିଳନୀ, ପ୍ରଶିକ୍ଷଣ ଶିବିର, କଳା ପ୍ରଦର୍ଶନୀ ଓ ଗବେଷଣା କାର୍ଯ୍ୟକ୍ରମ ହେବା ଦ୍ୱାରା ଏକ ସାଂସ୍କୃତିକ ଜୀବନତା ପାଇଁ ଅନୁପ୍ରେରଣା ହେବ। ଆଦିବାସୀ ଭାଇ ଓ ଭଉଣୀମାନେ ଯେତେବେଳେ ଏଠାକୁ ଆସିବେ, ନିଜ ଘର ପରି ଅନୁଭବ କରିବେ। ଆପଣଙ୍କ ଶିକ୍ଷା, ଚିକିତ୍ସା, ନିଯୁକ୍ତି, ଓ ଉନ୍ନତିର ମାର୍ଗ ଏହିଠାରୁ ଆରମ୍ଭ ହେବ। ଆଦିବାସୀ ସଂସ୍କୃତି କେବଳ ନାଚ, ଗୀତରେ ସୀମାବଦ୍ଧ ନୁହେଁ, ଏହା ହେଉଛି ଏକ ଜୀବନ ଶୈଳୀ, ଏକ ଆତ୍ମା। ଏହାକୁ ସୁରକ୍ଷା କରିବା ଏବଂ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହାକୁ ଜୀବିତ ରଖି, ପରିସ୍ଫୁଟ କରିବା କରିବା ଦିଗରେ ଶବରୀ ଭବନ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେଯେ, ୨୦୩୬ ସୁଦ୍ଧା ଆମେ ଲକ୍ଷ୍ୟ ରଖିଛୁ ରାଜ୍ୟର ସର୍ବାଙ୍ଗୀନ ବିକାଶ, ସାମଗ୍ରିକ ଅଭିବୃଦ୍ଧି ଏବଂ ଜନଜାତି ସଶକ୍ତିକରଣ ଜରିଆରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ । ସମୃଦ୍ଧ ଓଡିଶା ଗଠନ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ରାଜ୍ୟର ୨୪ ପ୍ରତିଶତ ଜନଜାତି ।