ନୂଆଦିଲ୍ଲୀ: ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାରରେ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଉପହାରର ଓଡ଼ିଶା ସହ ସମ୍ପର୍କ ରହିଛି।
ଏହି ଉପହାରଟି ହେଉଛି କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସୀର ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା ବିଶ୍ୱରେ କଟକର ପ୍ରସିଦ୍ଧି ରହିଛି। ଏଠାକାର କାରିଗରମାନେ ୫୦୦ ବର୍ଷରୁ ଅଧିକ ସମୟ ଧରି ନିଖୁଣ ରୁପା ତାରକସୀ କାମ କରି ଆସୁଛନ୍ତି।
ପ୍ରଧାନମନ୍ତ୍ରୀ ଦେଇଥିବା ଉପହାରଟି କୁଶଳୀ କାରୀଗରଙ୍କ ଦ୍ୱାରା ଅତ୍ୟନ୍ତ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ଅତି ପତଳା ରୁପା ତାରରେ ତିଆରି ହୋଇଥିବା ସୂକ୍ଷ୍ମ ଫୁଲ ଏବଂ ସୁନ୍ଦର ଡିଜାଇନ କରାଯାଇଛି। ପର୍ସଟି ଖୁବ୍ ହାଲୁକା ଓ ଦୀର୍ଘସ୍ଥାୟୀ ହେବା ସହିତ ଏହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋହର।
ତାରକସୀ କାମ ସୌନ୍ଦର୍ଯ୍ୟ, ସାଂସ୍କୃତିକ ଗୌରବ ଏବଂ କାରିଗରୀ କୌଶଳର ପ୍ରତୀକ। ଏହା ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ପରମ୍ପରାର ଏକ କାଳଜୟୀ ସ୍ମୃତିଚିହ୍ନ ଭାବେ ଉଜ୍ଜୀବିତ ହୋଇରହିଛି।