ବେଆଇନ ବେଟିଂ ଆପ ମାମଲା; ଇଡି ସ୍କାନରରେ ଫସିଲେ ୨୯ ସେଲିବ୍ରିଟି

 

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତେଲେଙ୍ଗାନାର ୨୯ ଜଣ ତାରକାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ଅଭିନେତା, ୟୁଟ୍ୟୁବର ଏବଂ ଇନଷ୍ଟାଗ୍ରାମ ଇନଫ୍ଲୁଏନସରଙ୍କ ନାମ ସାମିଲ ରହିଛି।

ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ତାଲିକାରେ ଅଭିନେତା ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବାତି, ମଞ୍ଚୁ ଲକ୍ଷ୍ମୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ ଭଳି ବଡ଼ ତାରକାଙ୍କ ନାମ ଅନ୍ତର୍ଭୁକ୍ତ। ସେହିପରି ଅନନ୍ୟା ନାଗାଲ୍ଲା, ପ୍ରଣିତା ସୁଭାଷ, ଆଙ୍କର ଶ୍ରୀମୁଖୀ, ଶ୍ୟାମଳା, ୟୁଟ୍ୟୁବର ହର୍ଷ ସାଇ, ବାୟା ସନି ଯାଦବ ଏବଂ ନାନିଙ୍କ ନାମ ମଧ୍ୟ ରହିଛି। ସାଇବରାବାଦ ପୋଲିସ ଦ୍ୱାରା ପଞ୍ଜିକୃତ ଏଫଆଇଆର ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି

ମିଆପୁରର ୩୨ ବର୍ଷୀୟ ବ୍ୟବସାୟୀ ଫଣିନ୍ଦ୍ର ଶର୍ମା ପ୍ରଥମ ଅଭିଯୋଗ ଦାଖଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅନେକ ଯୁବକ ଏବଂ ସାଧାରଣ ଲୋକ ଏହି ବେଟିଂ ଆପ୍ସରେ ପ୍ରଚୁର ଟଙ୍କା ନିବେଶ କରୁଛନ୍ତି। ଯାହା ପ୍ରସିଦ୍ଧ ଫିଲ୍ମ ତାରକାଙ୍କ ଦ୍ୱାରା ପ୍ରମୋସନ କରାଯାଉଛି। ଅଭିଯୋଗ ଅନୁଯାୟୀ, ଏହି ଆପ୍ସ ମଧ୍ୟବିତ୍ତ ଏବଂ ନିମ୍ନ-ମଧ୍ୟବିତ୍ତ ପରିବାରକୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେବାର କାମ କରୁଛି। ସାଇବରାବାଦ ପୋଲିସ ୧୯ ମାର୍ଚ୍ଚ ୨୦୨୫ରେ ୨୫ ଜଣ ସେଲିବ୍ରିଟିଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲା, ଯେଉଁଥିରେ ଆଇପିସି, ତେଲେଙ୍ଗାନା ଗେମିଂ ଆଇନ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.