ଜନତାଙ୍କ ଉନ୍ନତି ସାଧନ କରିବା ଦିଗରେ ନିଜର ଜ୍ଞାନକୁ ଉପଯୋଗ କରନ୍ତୁ ଆଇଆଇଟି ଛାତ୍ରଛାତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ଆଇଆଇଟି ଧାନବାଦର ସମାବର୍ତ୍ତନ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ଆଇଆଇଟି(ଆଇଏସଏମ), ଧାନବାଦ ଆତ୍ମନିର୍ଭର ଭାରତର ଏକ ସ୍ତମ୍ଭ ଭାବରେ ଠିଆ ହୋଇଛି

• ଛାତ୍ରଛାତ୍ରୀମାନେ ଚାକିରି କରିବା ସହ ଉତ୍କର୍ଷତା ମଧ୍ୟ ହାସଲ କରିବା ଉଚିତ

• ଭିଆର୍ ଆଧାରିତ ଖଣି ସିମୁଲେଟର ଲାବ୍ରୋଟୋରୀରେ ଖଣି ଉତ୍ତୋଳନର କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ

 

ଧାନବାଦ, ଅଗଷ୍ଟ ୦୧ – ଆଇଆଇଟି ଛାତ୍ରଛାତ୍ରୀମାନେ ସେମାନଙ୍କର ଜ୍ଞାନକୁ କେବଳ ଶକ୍ତିଶାଳୀ ମେସିନ୍ ତିଆରି କରିବା ଦିଗରେ ନଲଗାଇ ଲୋକଙ୍କ ଉନ୍ନତି ସାଧନ କରିବା ଦିଗରେ ଲଗାନ୍ତୁ । ନାଗରିକଙ୍କ ଉତ୍ଥାନ ଦିଗରେ ସହଯୋଗୀ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଶ୍ରୀ ପ୍ରଧାନ ଶୁକ୍ରବାର ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଝାଡ଼ଖଣ୍ଡର ଧାନବାଦରେ ଆଇଆଇଟି(ଭାରତୀୟ ଖଣି ସ୍କୁଲ) ଧାନବାଦର ୪୫ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଆଇଆଇଟି ଧାନବାଦର ସମାବର୍ତ୍ତନ ଉତ୍ସବରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସ୍ନାତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମିଲ ହେବା ଅତ୍ୟନ୍ତ ଗୌରବର ବିଷୟ । ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ। ଆଜି ଗ୍ରାଜୁଏଟ ହୋଇଥିବା ଯୁବପିଢିମାନେ ସେମାନଙ୍କର ଜ୍ଞାନକୁ କେବଳ ଶକ୍ତିଶାଳୀ ମେସିନ୍ ତିଆରି କରିବା ଦିଗରେ କାମ କରିବେ ନାହିଁ ବରଂ ଲୋକଙ୍କୁ ଆଗକୁ ବଢାଇବା ଦିଗରେ ସହାୟକ ହେବା ସହ ବିଶ୍ୱ ସମସ୍ୟାର ସମାଧାନ କରିବା ସହିତ ବିକଶିତ ଭାରତରେ ନିଜର ଯୋଗଦାନ ଦେବେ ।

 

ଆଇଆଇଟି(ଆଇଏସଏମ), ଧାନବାଦ ଆତ୍ମନିର୍ଭର ଭାରତର ଏକ ସ୍ତମ୍ଭ ଭାବରେ ଠିଆ ହୋଇଛି । ଶିକ୍ଷାଗତ, ଗବେଷଣା ଏବଂ ନବସୃଜନ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଭାରତ ସହ ବିଶ୍ୱ ପାଇଁ ଭବିଷ୍ୟତ ପିଢିର ଟେକ୍ନୋଲୋଜି ନିର୍ମାଣ କରିବା ଦିଗରେ ଏହା କାର୍ଯ୍ୟ କରୁଛି । ୨୦୨୬ରେ ଏହି ଅନୁଷ୍ଠାନ ଏହାର ଶତବାର୍ଷିକୀ ପାଳନ କରିବ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆଇଆଇଟି ଧାନବାଦର ପୂର୍ବ ଜୀବନ୍ତ ପରମ୍ପରାକୁ ଆଗକୁ ବଢାଇବା ସହ ବିଶ୍ୱ ଶିକ୍ଷାଗତ ଲିଡରସିପରେ ନୂଆ ଶତାବ୍ଦୀ ନିର୍ମାଣ କରିବା ପାଇଁ ସେ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଶ୍ୱ ଭାରତର ଯୁବପିଢ଼ିଙ୍କ ଠାରୁ ବହୁତ ଆଶା ରଖିଛି । ଆଇଆଇଟି ଧାନବାଦର ଛାତ୍ରଛାତ୍ରୀମାନେ କେବଳ ନିଯୁକ୍ତି ହାସଲ କରିବା ଉଚିତ ନୁହେଁ ବରଂ ଉତ୍କର୍ଷତା ମଧ୍ୟ ହାସଲ କରିବା ଉଚିତ । ସେମାନେ ଭବିଷ୍ୟତ ପାଇଁ ଅପେକ୍ଷା କରିବା ଉଚିତ୍ ନୁହେଁ ବରଂ ମୂଲ୍ୟବୋଧ ଦ୍ୱାରା ଏହାକୁ ନିର୍ମାଣ କରିବା ଉଚିତ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆଗାମୀ ଦିନର ଟେକ୍ନୋଲୋଜିକୁ ଆକାର ଦେବା ସହ ଜାତୀୟ ପ୍ରାଥମିକତା ହାସଲ କରିବେ ଏବଂ ସ୍ଥାୟୀ ବିକାଶକୁ ଶକ୍ତି ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିବେ ବୋଲି ସେ କହିଥିଲେ ।

 

ଏହା ପୂର୍ବରୁ ଶ୍ରୀ ପ୍ରଧାନ ଆଇଆଇଟି ଧାନବାଦର ଭିଆର୍ ଆଧାରିତ ଖଣି ସିମୁଲେଟର ଲାବ୍ରୋଟୋରୀରେ ଗଭୀରରେ ହେଉଥିବା ଖଣି ଉତ୍ତୋଳନର କାର୍ଯ୍ୟ ଦେଖିଥିଲେ । ସେ କହିଥିଲେ ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ସମଗ୍ର ଡ୍ରିଲିଂ ପ୍ରକ୍ରିୟାର ଏକ ବ୍ୟାପକ ସିମୁଲେସନ୍ ପ୍ରଦାନ କରୁଛି, ଯାହା ଛାତ୍ରଛାତ୍ରୀ ଏବଂ ଖଣି ଶ୍ରମିକମାନଙ୍କୁ ଖଣି କାର୍ଯ୍ୟକୁ ବୁଝିବା ଦିଗରେ ସହଯୋଗୀ ହେଉଛି ।ଡାଟା ବିଶ୍ଳେଷଣ ସହିତ ସମନ୍ୱିତ ପ୍ରଯୁକ୍ତିବିଦ୍ୟା ବିଶ୍ୱ ଖଣି ଚ୍ୟାଲେଞ୍ଜର ସମାଧାନ, ଖଣି କାର୍ଯ୍ୟରେ ସୁରକ୍ଷା ଏବଂ ଉତ୍ପାଦକତାକୁ ଉନ୍ନତ କରିବା ସହିତ ଖଣି କ୍ଷେତ୍ରରେ ଗବେଷଣାକୁ ଆଗକୁ ବଢ଼ାଇବା ପାଇଁ ଟେକ୍ନୋକ୍ରାଟମାନଙ୍କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି।

Leave A Reply

Your email address will not be published.