ମହାନଦୀ ଜଳ ବିବାଦ: ବିଜେଡିର ଆଶଙ୍କା, ସରକାରଙ୍କ ସମାଧାନ ପ୍ରୟାସରେ ରହିଛି ଅସ୍ପଷ୍ଟତା; କଡ଼ା ଜବାବ ଦେଲା ବିଜେପି

ଭୁବନେଶ୍ୱର: ମହାନଦୀ ଜଳ ମାମଲାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ବିଜୁ ଜନତା ଦଳ (ବିଜେଡି) ଓଡ଼ିଶା ସରକାରଙ୍କ ସମାଧାନ ପ୍ରୟାସକୁ ନେଇ ଆଶଙ୍କା ପ୍ରକାଶ କରିଛି। ଅଗଷ୍ଟ ୧ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ କରୁଥିବା ଚିଠିରେ ସ୍ପଷ୍ଟତା ନାହିଁ।

 

ସେ ପ୍ରଶ୍ନ ଉଠାଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜୁଲାଇ ୨୫ ତାରିଖର ଚିଠିରେ କେଉଁ ସମାଧାନର କଥା ଅଛି? ଓଡ଼ିଶା କେଉଁ ଯୁକ୍ତି ରଖିଛି? ଏହା ରାଜ୍ୟର ସ୍ୱାର୍ଥ ରକ୍ଷା କରୁଛି କି? ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ପାଇଥିବା କହିଛନ୍ତି, କିନ୍ତୁ ସମାଧାନ ପାଇଁ ସହମତି ଦେଇ ନାହାନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ମାମଲା ଦେଖୁଥିବା ବେଳେ ଏକକ ଆଲୋଚନା କାହିଁକି? ସେ ଆହୁରି କହିଛନ୍ତି, ସରକାର କାହିଁକି ତତ୍ପରତା ଦେଖାଉଛନ୍ତି? ଏହା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜୁଲାଇ ୨୪ର ପ୍ରଶ୍ନ ସହ ମିଶୁଛି। ନବୀନ ସ୍ପଷ୍ଟତା ଓ ସମସ୍ତ ଦଳର ବୈଠକ ଦାବି କରିଛନ୍ତି।

 

ବିଜେଡି ଅଭିଯୋଗ କରିଛି, ଛତିଶଗଡ଼ ଅନୁମତି ବିନା ଉପର ମୁଣ୍ଡରେ ବନ୍ଧ ଓ ଅବରୋଧ ତିଆରି କରୁଛି। ୨୦୧୬ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ବୈଠକରେ ଓଡ଼ିଶାର ଚିନ୍ତାକୁ ଗୁରୁତ୍ୱ ଦିଆଯାଇ ନଥିଲା। ଫଳରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା, ଯାହା ଫଳରେ ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଦେବୀ ମିଶ୍ର କହିଛନ୍ତି, ଛତିଶଗଡ଼ ଓଡ଼ିଶାର ଅଧିକାରକୁ ଗୁରୁତ୍ୱ ଦେଇ ନାହିଁ।

ଅନୁଚ୍ଛେଦ ୧୬୫ ଅନୁଯାୟୀ ମହାନଦୀ ରିଭର ବୋର୍ଡ ଗଠନ କରାଯାଉ। ୨୦୧୬ ପରଠାରୁ ମହାନଦୀ ଓଡ଼ିଶା ପାଇଁ ଅଭିଶାପ ହୋଇଛି। ଛତିଶଗଡ଼ର ଉପର ମୁଣ୍ଡ ପ୍ରକଳ୍ପ ଜଳପ୍ରବାହକୁ ବାଧା ଦେଉଛି। ଏହା ଚାଷ, ପିଇବା ପାଣି ଓ ପରିବେଶକୁ କ୍ଷତି ପହଞ୍ଚାଉଛି।

ଟ୍ରିବ୍ୟୁନାଲ ମାମଲାକୁ ସେପ୍ଟେମ୍ବର ୬କୁ ଘୁଞ୍ଚାଇଛି। ଉଭୟ ରାଜ୍ୟରେ ବିଜେପି ସରକାର ଥାଇ ମଧ୍ୟ ସମାଧାନ ନିଷ୍ପତ୍ତି ନେଇ ସନ୍ଦେହ ରହିଛି। ବିଜେଡି ଦାବି କରୁଛି, ଓଡ଼ିଶାର ଅଧିକାରକୁ ଅଣଦେଖା କରାଯାଇ ପାରିବ ନାହିଁ। ଜନତା ସ୍ପଷ୍ଟତା ଓ ଦାୟିତ୍ୱ ଦାବି କରୁଛନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା ହିଁ ରହିବ ବୋଲି ସମସ୍ତେ ଚାହୁଁଛନ୍ତି।

ଅନ୍ୟପଟେ ବିଜେପି କହିଛି, ୨୪ ବର୍ଷ କାଳ ଓଡିଶା ଲୋକଙ୍କୁ ମିଛ କହି ଠକିବା ପରେ ବି ବୋଧ ହୁଏ ବିଜୁ ଜନତା ଦଳର ମନ ବୁଝିଲା ନାହିଁ ଆଜି ସେମାନେ ପୁଣିମି ଛ କହିବାର ଅପଚେଷ୍ଟା କରୁଛନ୍ତି । ଯେଉଁମାନେ ସରକାରରେ ଲମ୍ବା ସମୟ ରହିବା ପରେ ବି ମହାନଦୀରେ କେନାଲଟିଏ କରିପାରିଲେ ନାହିଁ , ବନ୍ଧଟିଏ ବାନ୍ଧି ପାରିଲେ ନାହିଁ ସେମାନେ ଆଜି ମହାନଦୀ ପାଇଁ ଉଦ୍‌ବେଗ ପ୍ରକାଶ କରିବା ହାସ୍ୟାସ୍ପଦ । ପ୍ରଥମେ ବିଜୁ ଜନତା ଦଳ ସ୍ପଷ୍ଟ କରୁ ଯେ, ସେମାନେ ଯେଉଁ ଟ୍ରିବ୍ୟୁନାଲ କଥା କହି ଓଡିଶାବାସୀଙ୍କୁ ୨୦୧୮ରୁ ୨୦୨୪, ୬ବର୍ଷ କାଳ ମହାନଦୀ ବିବାଦର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାହା ସେମାନେ ପୂରଣ କରିପାରି ନଥିଲେ କାହିଁକି? ଟ୍ରିବ୍ୟୁନାଲ ବାବଦରେ କେବଳ ଓକିଲ ଖର୍ଚ୍ଚ ବାବଦରେ ରାଜ୍ୟ ରାଜକୋଷରୁ ସେତେବେଳେ ୩୦କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାର ଲାଭ ଓଡିଶା ଲୋକଙ୍କୁ କ’ଣ ମିଳିଲା ତାହା ଟିକେ ବିଜୁ ଜନତା ଦଳ ସ୍ପଷ୍ଟ କଲେ ଭଲ ହୁଅନ୍ତା । ଭାରତ ଇତିହାସରେ କୌଣସି ବି ଆର୍ନ୍ତରାଜ୍ୟ ନଦୀ ବିବାଦର ସମାଧାନ ଟ୍ରିବ୍ୟୁନାଲ ଦ୍ୱାରା ହୋଇପାରିନାହିଁ । ଯାହା ବି ସମାଧାନ ହୋଇଛି କେବଳ ଆପୋଷ ଆଲୋଚନା ମାଧ୍ୟମରେ ହୋଇଛି । ଭାରତୀୟ ଜନତା ପାର୍ଟି ସରକାର ଏବେ ଯେତେବେଳେ ମହାନଦୀ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରୁଛନ୍ତି।

Leave A Reply

Your email address will not be published.