ହକି ଏସିଆ କପ୍ ୨୦୨୫:ବିହାରର ମୁଖ୍ୟମନ୍ତ୍ରୀ ମାସ୍କଟ ‘ଚାନ୍ଦ’ ଏବଂ ଟ୍ରଫି କଲେ ଉନ୍ମୋଚନ

ପାଟନା: ବିହାରର ଐତିହାସିକ ସହର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ହିରୋ ଏସିଆ କପ୍ ହକି ୨୦୨୫ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମାସ୍କଟ ‘ଚାନ୍ଦ’ ଏବଂ ଟ୍ରଫିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ, ସେ ଟ୍ରଫି ଗୌରବ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ବିହାରର ସମସ୍ତ ଜିଲ୍ଲା ଏବଂ ଅନ୍ୟାନ୍ୟ ରାଜ୍ୟକୁ ଯାତ୍ରା କରବ ।

ଚେନ୍ନାଇ, ଚଣ୍ଡିଗଡ଼, ଦିଲ୍ଲୀ, ଓଡ଼ିଶା, ଆସାମ ଏବଂ ଝାଡ଼ଖଣ୍ଡ ଦେଇ ଟ୍ରଫି ଯାତ୍ରା କରିବ। ଏହାର ଉଦ୍ଦେଶ୍ୟ ହେଉଛି ହକି ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି କରିବା ଏବଂ ଏହି ଐତିହାସିକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା।

ପ୍ରଥମ ଥର ପାଇଁ ବିହାର, ପୁରୁଷ ହିରୋ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ ସଂସ୍କରଣ ଆୟୋଜନ କରିବ । ଯାହା ୨୯ ଅଗଷ୍ଟରୁ ୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରାଜଗିର ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଅତ୍ୟାଧୁନିକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ବିହାରରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଷ୍ଠିତ ପୁରୁଷ ହକି ପ୍ରତିଯୋଗିତା ରାଜ୍ୟ ପାଇଁ ଗର୍ବର ବିଷୟ। ଏହି କାର୍ଯ୍ୟକ୍ରମ କେବଳ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡା ଇଭେଣ୍ଟ ଆୟୋଜନ କରିବାର ବିହାରର କ୍ଷମତାକୁ ପ୍ରଦର୍ଶନ କରିବ ନାହିଁ,କିନ୍ତୁ ଏହା ପର୍ଯ୍ୟଟନ, କଳା ଏବଂ ସଂସ୍କୃତି କ୍ଷେତ୍ରରେ ରାଜ୍ୟର ବିଶ୍ୱସ୍ତରୀୟ ପ୍ରତିଛବିକୁ ମଧ୍ୟ ସୁଦୃଢ଼ କରିବ।

ହିରୋ ଏସିଆ କପ୍ ୨୦୨୫ ମାସ୍କଟ ‘ଚାନ୍ଦ’ ଭାରତର ଜାତୀୟ ପଶୁ ବାଘ ଦ୍ୱାରା ଅନୁପ୍ରାଣିତ, ଯାହା ସାହସ, ଚପଳତା ଏବଂ ଦକ୍ଷତାର ପ୍ରତୀକ। ଯାଦୁଗରଙ୍କ ଟୋପି ହକି ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରେ। ‘ଚାନ୍ଦ’ ନାମଟି ମେଜର ଧ୍ୟାନଚାନ୍ଦଙ୍କ ଦ୍ୱାରା ପ୍ରେରିତ । ସେ ଚାନ୍ଦିନୀ ରାତିରେ ଅଭ୍ୟାସ କରି ହକି ଇତିହାସ ସୃଷ୍ଟି କରିଥିଲେ। ଏହି ମାସ୍କଟଟି ବିହାରର ବାଲ୍ମୀକି ବ୍ୟାଘ୍ର ଅଭୟାରଣ୍ୟର ବାଘଙ୍କଠାରୁ ମଧ୍ୟ ପ୍ରେରଣା ନେଇଛି ।

 

ହିରୋ ଏସିଆ କପ୍ ୨୦୨୫ରେ ଆଠଟି ଦେଶ ଅଂଶଗ୍ରହଣ କରିବେ – ଭାରତ, ଚୀନ୍, ଜାପାନ, ଚାଇନିଜ୍ ତାଇପେ, ମାଲେସିଆ, ଦକ୍ଷିଣ କୋରିଆ, ଓମାନ ଏବଂ ବାଂଲାଦେଶ। ଏହି ଟୁର୍ଣ୍ଣାମେଣ୍ଟର ବିଜେତା ହକି ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ତେବେ ମ୍ୟାଚ୍ ଗୁଡ଼ିକ ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ରେକର୍ଡକୁ ଦେଖିଲେ ଦକ୍ଷିଣ କୋରିଆ ୫ଟି ଟାଇଟଲ ସହିତ ସବୁଠାରୁ ସଫଳ ଦଳ ହୋଇଛି । ତା’ପରେ ଭାରତ ଏବଂ ପାକିସ୍ତାନ ପ୍ରତ୍ୟେକ ୩ଟି ଟାଇଟଲ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Leave A Reply

Your email address will not be published.