ଭୁବନେଶ୍ୱର: ରାଜ୍ୟରେ ବର୍ଷା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା। ଲଗାଣ ବର୍ଷା ଲାଗି ରହିଛି, ହେଲେ କୌଣସି ନଦୀରେ ବନ୍ୟା ନାହିଁ। ଯେଉଁ ଅଧିକ ବର୍ଷା ଆକଳନ ହୋଇଥିଲା ସେପରି ହେଲାନି। ଆଖୁଆପଦାରେ ବୈତରଣୀ ସତର୍କ ସଂକେତ ଉପରେ ଅଛି। ହେଲେ ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବନି।
ଗତକାଲି ୧୬ଟି ବ୍ଲକ୍ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି। ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସ୍ଥିତି ନାହିଁ। ସେ କହିଛନ୍ତି, ସମୟ ଲାଗେ ପାଣି ସମୁଦ୍ରକୁ ଯିବା ପାଇଁ। ରାଜ୍ୟରେ ଲଗାଣ ବର୍ଷା ପରେ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ।
ଗତକାଲି ଏନେଇ ଅଧିକାରୀମାନେ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରେଖା ଭଳି ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ତଥାପି ଜଳସମ୍ପଦ ବିଭାଗ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ କୌଣସି ବନ୍ୟା ଆଶଙ୍କା ନାହିଁ।
ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଚନ୍ଦ୍ର ଶେଖର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସୋମବାରଠାରୁ ବର୍ଷା ହେବା ପରେ କିଛି ନଦୀ ଫୁଲିବା ଆରମ୍ଭ କରିଛି। ମଙ୍ଗଳବାର ସକାଳେ ଜଳାଶୟ ଅଞ୍ଚଳରେ ବିଭାଗ ଦ୍ୱାରା କରାଯାଇଥିବା ପର୍ଯ୍ୟବେକ୍ଷଣ ଅନୁଯାୟୀ, ବୁଢାବଳଙ୍ଗ ନଦୀରେ ୪୩.୦୭ ମିମି, ବୈତରଣୀ ନଦୀରେ ୩୦.୬୫ ମିମି, ସୁବର୍ଣ୍ଣରେଖା ନଦୀରେ ୨୦.୯୭ ମିମି, କୋଲାବ ବେସିନରେ ୨୯.୨୦ ମିମି, ନାଗାବଳୀ ନଦୀରେ ୨୦.୧୮ ମିମି, ଇନ୍ଦ୍ରାବତୀ ନଦୀରେ ୧୬.୩୬ ମିମି, ତଳ ବ୍ରାହ୍ମଣୀରେ ୧୫ ମିମି ଏବଂ ବଂଶଧାରା ନଦୀରେ ୧୦.୮୨ ମିମି ବର୍ଷା ହୋଇଛି।