ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ଉପରେ ବର୍ଷିଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ୱାଇ: ‘ଦି ବେଙ୍ଗଲ ଫାଇଲ୍ସ’ ଫିଲ୍ମଟି ମୁକ୍ତିଲାଭ ପୂର୍ବରୁ ହିଁ ବିବାଦ ଘେରରେ ଫସି ରହିଥିଲା। ତେବେ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏହାକୁ ବଙ୍ଗଳା ଭାଷାରେ ଡବିଂ ମଧ୍ୟ କରାଯାଇଛି। ଯାହା ଦ୍ୱାରା ରାଜ୍ୟର ସ୍ଥାନୀୟ ଦର୍ଶକ ଏହାକୁ ନିଜ ମାତୃଭାଷାରେ ଦେଖିପାରିବେ।

କିନ୍ତୁ ବର୍ତ୍ତମାନ୍ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଥିଏଟର ମାଲିକମାନଙ୍କୁ ଏହି ଫିଲ୍ମ ରିଲିଜ ନ କରିବାକୁ ଧମକ ଦିଆଯାଉଛି। ଯଦି ସେମାନେ ଏହା ନ ମାନିବେ ତାହେଲେ ପୋଲିସ ଥିଏଟର ଭିତରକୁ ପଶି ସେମାନଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବ। ଫଳରେ ଭୟରେ ମାଲିକ ମାନେ ଏପରି କରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି। ତେବେ ଏହା ସମ୍ପୂର୍ଣ୍ଣ ଭାବରେ ବେଆଇନ ଏବଂ ଅସାମ୍ବିଧାନିକ ବୋଲି ବିବେକ କହିଛନ୍ତି।

ଯଦି ପରିସ୍ଥିତି ଏହିପରି ରହେ ତାହେଲେ ସେ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କହିଛନ୍ତି। ଆସନ୍ତାକାଲିର ପରିସ୍ଥିତି କିପରି ରହିବ ଏହାକୁ ନଜରରେ ରଖି ଏକ ରିଟ୍ ପିଟିସନ୍ ଦାଖଲ କରିବାକୁ ସେ ଯୋଜନା କରିଥିବା କହିଛନ୍ତି। ତେବେ ଏହାର ପ୍ରିମିୟର ୪ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା।

ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ, ଅନୁପମ ଖେର ଏବଂ ଦର୍ଶନ କୁମାର ଅଭିନୟ କରିଥିବା ବେଳେ ତେଜ ନାରାୟଣ ଅଗ୍ରୱାଲ ଏବଂ ଆଇ ଆମ୍ ବୁଦ୍ଧ ପ୍ରଡକ୍ସନ ଦ୍ୱାରା ଏହି ଫିଲ୍ମଟି ଉପସ୍ଥାପିତ କରାଯାଇଛି। ଏହା ଫାଇଲ୍ସ ସିରିଜର ଏକ ଅଂଶ ଯେଉଁଥିରେ ଦି କାଶ୍ମୀର ଫାଇଲ୍ସ ଏବଂ ଦି ତାସକେଣ୍ଟ ଫାଇଲ୍ସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

Leave A Reply

Your email address will not be published.