୫୦୦ରୁ ଅଧିକ ଥର ହୋଇଥିଲେ ରିଜେକ୍ଟ, ଏବେ ଘରେ ବସି ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୨୩ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଏକ ଛୋଟ ସହରରୁ ଆସିଥିବା ୨୩ ବର୍ଷୀୟ ଯୁବକ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସାହ ବଳରେ କ୍ୟାରିଅରରେ ଏକ ଅସାଧାରଣ ମାଇଲଷ୍ଟୋନ୍ ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରିବା ପରେ ତାଙ୍କୁ ମାତ୍ର ୩.୬ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ ଏକ ପ୍ଲେସମେଣ୍ଟ ମିଳିଥିଲା। କିନ୍ତୁ ଏହି ଚାକିରିରେ ଯୋଗଦେବା ପାଇଁ ତାଙ୍କୁ ୮ ମାସର ଦୀର୍ଘ ଅପେକ୍ଷା କରିବାକୁ ପଡ଼ିଥିଲା।
ସଂଘର୍ଷରୁ ସଫଳତାର ଯାତ୍ରା
ଏହି ଯୁବକ ରେଡିଟ୍‌ରେ ନିଜର ସଂଘର୍ଷ ଓ ସଫଳତାର କାହାଣୀ ସେୟାର କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରି ସେ ଟେକ୍ନୋଲୋଜି ଦୁନିଆରେ ପାଦ ରଖିଥିଲେ। ବିଶେଷ କଥା ହେଲା, ସେ ନିଜ ପରିବାରରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରଥମ ବ୍ୟକ୍ତି। କ୍ୟାମ୍ପସ ପ୍ଲେସମେଣ୍ଟରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି ମିଳିଥିଲା, କିନ୍ତୁ ଆର୍ଥିକ ଦୃଷ୍ଟିରୁ ଏହା ପର୍ଯ୍ୟାପ୍ତ ନଥିଲା। ଏହା ସହିତ ୮ ମାସର ଅପେକ୍ଷା ତାଙ୍କୁ ଆହୁରି କିଛି କରିବା ପାଇଁ ପ୍ରେରଣା ଦେଇଥିଲା।
ଏହି ସମୟରେ ସେ ୫୦୦ରୁ ଅଧିକ ଚାକିରି ପାଇଁ ଆବେଦନ କରିଥିଲେ ଏବଂ ସବୁଠାରେ ଅସଫଳ ହୋଇଥିଲେ। ତଥାପି ସେ ହାର ମାନି ନଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ଉପଲବ୍ଧ ୫୦୦ରୁ ଅଧିକ ରିମୋଟ୍ ଜବ୍‌ ପାଇଁ ଆବେଦନ କରିଥିଲେ, ପ୍ରତ୍ୟେକ ଆବେଦନକୁ ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍ କରିଥିଲେ। ଅନ୍ତତଃ ଗୋଟିଏ ସ୍ଥାନରୁ ଇଣ୍ଟରଭ୍ୟୁ ପାଇଁ ଡାକରା ମିଳିଥିଲା। ଏହା ତାଙ୍କୁ ଓପନଏଆଇର ଏକ ପ୍ରୋଜେକ୍ଟରେ ରିମୋଟ୍ କାମ କରିବାର ସୁଯୋଗ ଦେଇଥିଲା। ଏହି ୨୩ ବର୍ଷୀୟ ଯୁବକ ଏବେ ନିଜର ରିମୋଟ୍ ଜବ୍‌ରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଦିନ-ରାତି ପରିଶ୍ରମର ଫଳ
ଓପନଏଆଇ କମ୍ପାନୀ ତାଙ୍କ ଉପରେ ଭରସା କରି କାମ କରିବାର ସୁଯୋଗ ଦେଇଥିଲା। ଏହି ପ୍ରୋଜେକ୍ଟ ତାଙ୍କ କ୍ୟାରିଅରକୁ ନୂଆ ଦିଗକୁ ନେଇଥିଲା ଏବଂ ଘରେ ବସି ମାସିକ ୨୦ ଲକ୍ଷ ଟଙ୍କା ରୋଜଗାର କରିବାର ଅସାଧାରଣ ସୁଯୋଗ ଦେଇଥିଲା।
ରେଡିଟ୍‌ରେ ସେ ନିଜର ସଫଳତାର ମନ୍ତ୍ର ମଧ୍ୟ ସେୟାର କରିଛନ୍ତି। ସେ ଦିନ-ରାତି କାମ କରିଥିଲେ, ପ୍ରତି ରାତିରେ ମାତ୍ର ୪-୫ ଘଣ୍ଟା ଶୋଇଥିଲେ ଏବଂ ଦୁନିଆରୁ ଅଲଗା ହୋଇ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଥିଲେ। ସେ ପ୍ରମାଣ କରିଛନ୍ତି ଯେ ଦକ୍ଷତା ଓ ଇଣ୍ଟରନେଟ ସଂଯୋଗ ଥାଇଲେ ଭୌଗୋଳିକ ବାଧାକୁ ଅତିକ୍ରମ କରାଯାଇପାରେ। ତାଙ୍କୁ ମିଳିଥିବା ରିମୋଟ୍ ଜବ୍‌ର ଅଫର୍ ଏହାର ଜ୍ୱଳନ୍ତ ପ୍ରମାଣ।

Leave A Reply

Your email address will not be published.