ନୂଆଦିଲ୍ଲୀ:୪ର୍ଥ ଥର ପାଇଁ ଏସିଆ କପ୍ ( Hero Asia Cup 2025 Final) ଟାଇଟଲ ହାତେଇଲା ଭାରତ । ଫାଇନଲ ଟକ୍କରରେ କୋରିଆ ବିପକ୍ଷରେ ୪-୧ ଗୋଲରେ ବିଜୟ ହାସଲ କରି ଏସିଆ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ ହାରି ଏହି ଟାଇଟଲ୍ ନିଜ ନାଁରେ କରିଛି । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡସ୍ ଏବଂ ବେଲଜିୟମରେ ଖେଳାଯିବାକୁ ଥିବା FIH ପୁରୁଷ ବିଶ୍ୱକପ୍ ୨୦୨୬ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।
ଶେଷଥର ପାଇଁ ୨୦୧୭ରେ ଭାରତ ଏସିଆ କପ୍ ଜିତିଥିଲା । ୮ବର୍ଷ ପରେ ପୁଣି ଏହି ଟାଇଟଲ ହାତେଇଛି ହରମନପ୍ରୀତଙ୍କ ବାହିନୀ ।
ସୂଚନାଥାଉକି, ପୁଲ୍ ପର୍ୟ୍ୟାୟରେ ଟିମ୍ ଇଣ୍ଡିଆ ତା’ର ତିନୋଟି ମ୍ୟାଚ୍ ଜିତିଥିଲା। ତା’ପରେ ସୁପର-୪ରେ ୩ଟି ମ୍ୟାଚ୍ ରୁ ୨ଟିରେ ବିଜୟ ହାସଲ କରିଥିଲା । ଭାରତକୁ କେବଳ କୋରିଆ ବିପକ୍ଷ ମ୍ୟାଚ୍ ରେ ଡ୍ର’ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହାପରେ ଭାରତୀୟ ଦଳ ୯ମ ଫାଇନାଲ୍ ଖେଳି ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି ।
ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ କୋରିଆ ଓ ବ୍ରୋଞ୍ଜ ପଦକ ମାଲେସିଆ ହାସଲ କରିଛି ।