ଐଶ୍ୱର୍ଯ୍ୟାଙ୍କ ପରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିଷେକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ବୁଧବାର ଦିନ ନିଜର ପବ୍ଲିସିଟୀ ଏବଂ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

AI ମାଧ୍ୟମରେ ତାଙ୍କର ନକଲି ଫୋଟୋ ଏବଂ ଭିଡିଓ ବନାଇବା ସହ ତାଙ୍କ ଫଟୋ-ସାଇନ୍ ର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ  ୱେବସାଇଟ୍ ଏବଂ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ କରିବାକୁ ସେ କୋର୍ଟକୁ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠରେ ଅନୁଷ୍ଠିତ ହୋଇଛି। ତେବେ କୋର୍ଟ ଅଭିଷେକଙ୍କ ଓକିଲଙ୍କଠାରୁ କିଛି ପ୍ରଶ୍ନର ଉତ୍ତର ମାଗିଥିଲେ ଓ  ଅପରାହ୍ନ ୨.୩୦ ସମୟରେ ଏହି ମାମଲାକୁ ନେଇ ଶୁଣାଣି କରିଥିଲେ। ଅଭିଯୁକ୍ତ AI ମାଧ୍ୟମରେ ନକଲି ଭିଡିଓ ଏବଂ ଫଟୋ ତିଆରି କରି  ଅଭିନେତାଙ୍କ ନାମରେ ଏସବୁକୁ ପ୍ରଚାର କରାଯାଉଥିବା ନେଇ ଅଭିଷେକଙ୍କ ଓକିଲ ପ୍ରବୀଣ ଆନନ୍ଦ ଦାବି କରିଛନ୍ତି।

ଏହି ନକଲି ଫଟୋ ଏବଂ ଭିଡିଓ ମାନଙ୍କରେ ଅଭିଷେକ ବଚ୍ଚନଙ୍କ ନକଲି ଦସ୍ତଖତ ଅନ୍ତର୍ଭୁକ୍ତ ରହିବା ସହ ଅନେକ ସମୟରେ ସେସବୁକୁ ଅଶ୍ଳୀଳ ଭାବରେ ମଧ୍ୟ ପ୍ରସାରିତ କରାଯାଉଥିବା ନେଇ ମଧ୍ୟ ସେ ଦାବି କରିଛନ୍ତି। ଏଥିସହିତ ଅଭିଷେକ ଏକ ୱେବସାଇଟ୍ ବିରୁଦ୍ଧରେ ମଧ୍ୟ ଅଭିଯୋଗ କରିଛନ୍ତି ଯିଏକି ବଲିଉଡ୍ ସେଲିବ୍ରିଟିଙ୍କ ଫଟୋ ଥିବା ଟି-ସାର୍ଟ ତିଆରି ଏବଂ ବିକ୍ରି କରୁଛି। ଅଭିଷେକ ବଚ୍ଚନଙ୍କ ଆଇନଗତ ଦଳରେ ଅମିତ ନାୟକ, ମଧୁ ଗାଡୋଡିଆ ଏବଂ ଧ୍ରୁବ ଆନନ୍ଦଙ୍କ ସହିତ ଓକିଲ ପ୍ରବୀଣ ଆନନ୍ଦ ସାମିଲ ଅଛନ୍ତି।

ଏହାର ଗୋଟିଏ ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଏହି ପ୍ରକାର ସମାନ ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ୨୦୨୩ ମସିହାରେ ଆରାଧ୍ୟା ବଚ୍ଚନଙ୍କ ବିଷୟରେ ଅନେକ ମିଥ୍ୟା ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହେବା ପରେ ବଚ୍ଚନ ପରିବାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ମଧ୍ୟ କୋର୍ଟ ଏହି ମାମଲାକୁ ନେଇ ୟୁଟ୍ୟୁବ ଚ୍ୟାନେଲକୁ ଏପରି ଭିଡିଓ ପ୍ରସାରିତ ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

 

Leave A Reply

Your email address will not be published.