ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ମିଳିଲା ଆଶ୍ୱସ୍ତି। AI ଦ୍ୱାରା ତାଙ୍କର ଅଶ୍ଳୀଳ ବିଷୟବସ୍ତୁ ତିଆରି କରାଯାଇ ଏହାକୁ ବେଆଇନ ଭାବରେ ପ୍ରସାରଣ କରାଯିବା ସହ ତାଙ୍କ ପରିଚୟର ଅପବ୍ୟବହାର କରିବା ନେଇ ନିକଟରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେ।
ଏଭଳୀ ଅନଲାଇନ୍ ପ୍ଲାଟଫର୍ମରୁ ସୁରକ୍ଷା ପାଇବା ପାଇଁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାକୁ ନେଇ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏଥିସହିତ ଅଭିନେତ୍ରୀଙ୍କ ସମ୍ପୂର୍ଣ୍ଣ ଅବାସ୍ତବ ଅନ୍ତରଙ୍ଗ ଫଟୋଗ୍ରାଫ୍ ପ୍ରସାରିତ ହୋଇଥିବା ନେଇ ମଧ୍ୟ ତାଙ୍କ ଓକିଲ ସନ୍ଦୀପ ସେଟ୍ଟୀ କୋର୍ଟକୁ କହିଥିଲେ। ତାଙ୍କ ନାମ ଏବଂ ତାଙ୍କ ପ୍ରତିଛବି କାହାର ଯୌନ ଇଚ୍ଛା ପୂରଣ କରିବା ପାଇଁ ବ୍ୟବହାର କରାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମଧ୍ୟ ସେ କହିଥିଲେ।
ଏହି ଅଭିଯୋଗର ଶୁଣାଣି କରି ବିଚାରପତି ତେଜସ କାରିଆ ଅନେକ ସଂଗଠନକୁ ଏଆଇ ସମେତ ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଭିନେତ୍ରୀଙ୍କ ନାମ ଏବଂ ଫଟୋର ଅପବ୍ୟବହାର କରିବାରୁ ବାରଣ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହିପରି କରିବା ଦ୍ଵାରା ତାଙ୍କ ଗରିମା, ପ୍ରତିଷ୍ଠା ଏବଂ ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଉଛି।
ତେବେ କୋର୍ଟ ଅଭିନେତ୍ରୀଙ୍କ ସପକ୍ଷରେ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ ଅଭିଯୁକ୍ତମାନଙ୍କୁ ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ ଲାଭ ପାଇଁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ଏବଂ ସଂକ୍ଷିପ୍ତ ନାମ ARB, ଫଟୋ, ସାଦୃଶ୍ୟ ଇତ୍ୟାଦିକୁ ବ୍ୟବହାର କରିବାରୁ ନିଷେଧ କରିବା ସହ ସମସ୍ତ ପ୍ରକାର ର AI, deepfake, face morphing ଏବଂ ମେସିନ୍ ଲର୍ଣ୍ଣିଂ ସମେତ ସମସ୍ତ ପ୍ରଯୁକ୍ତିବିଦ୍ୟା ପାଇଁ ପ୍ରଯୁଜ୍ୟ ଅଟେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଏଥିସହିତ କୋର୍ଟ ଗୁଗଲ LLCକୁ ୭୨ ଘଣ୍ଟା ମଧ୍ୟରେ ମାମଲା ରେ ଉଲ୍ଲେଖ କରାଯାଇଥିବା URL ଗୁଡିକୁ ହଟାଇବା ଏବଂ ଅପରେଟରମାନଙ୍କ ଗ୍ରାହକ ସୂଚନା ସିଲ୍ ଫର୍ମାଟରେ ଉପଲବ୍ଧ କରାଇବା ସହ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ୭ ଦିନ ମଧ୍ୟରେ URL ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହି ମାମଲାଟିରେ ନାମିତ ଅଭିଯୁକ୍ତମାନଙ୍କ ମଧ୍ୟରେ aishwaryaworld.com, apkpure.com, bollywoodteeshop.com, kashcollectiveco.com, ଇ-କମର୍ସ ପ୍ଲାଟଫର୍ମ Etsy, ଚାଟବଟ୍ ସାଇଟ୍ jaintorai.com, YouTube ଚ୍ୟାନେଲ, Google LLC, IT ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗ ଭଳି ୱେବସାଇଟ୍ ଅନ୍ତର୍ଭୁକ୍ତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।