ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ଖୋଜିବା ପାଇଁ ପୁରସ୍କାର ଘୋଷଣା…

ଭୁବନେଶ୍ୱର: ଭୁବନେଶ୍ୱରରେ ସେପ୍ଟେମ୍ବର ୬ରୁ ଜଣେ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ଥିବା ନେଇ ସୂଚନା ମିଳିଛି।ଯେଉଁ ବ୍ୟକ୍ତି ତାଙ୍କ ବିଷୟରେ ସୂଚନା ଦେବ କମିଶନରେଟ୍ ପୋଲିସ ତାଙ୍କୁ ୨୫୦୦୦ ଟଙ୍କା ନଗଦ ପୁରସ୍କାର ଦେବା ନେଇ ଘୋଷଣା କରିଛନ୍ତି।

ଏଥିସହିତ କମିଶନରେଟ୍ ପୋଲିସ, ୟୁପିଡି ଭୁବନେଶ୍ୱର ପକ୍ଷରୁ ତାଙ୍କ ଫଟୋ ମଧ୍ୟ ଜାରି କରିଛନ୍ତି। ଯେକୌଣସି ସୂଚନା ପ୍ରଦାନ କରିବା ପାଇଁ ଏକ ଫୋନ୍ ନମ୍ବର ଏବଂ ଏକ ହ୍ୱାଟ୍ସଆପ୍ ନମ୍ୱର ମଧ୍ୟ କମିଶନରେଟ ପୋଲିସ ସେୟାର କରିଛି।

ନିଖୋଜ ହୋଇଥିବା କନଷ୍ଟେବଳ ଖୋର୍ଦ୍ଧା ଟାଉନ୍ ପୋଲିସ ଥାନା ଅନ୍ତର୍ଗତ ପିଚୁକୁଲିର ଦୁର୍ଯ୍ୟଧନ ସାହୁଙ୍କ ଝିଅ ଶୁଭମିତ୍ରା ସାହୁ (୨୫) ବୋଲି ଜଣାପଡିଛି। ସେ ସେପ୍ଟେମ୍ବର ୬ ତାରିଖ ସକାଳ ୧୦ ଟାରେ ଭୁବନେଶ୍ୱରର ସୂର୍ଯ୍ୟ ନଗରରୁ ତାଙ୍କ ଡ୍ୟୁଟିକୁ ଯାଇଥିଲେ। ତେବେ ସନ୍ଧ୍ୟା ୭ଟା ସୁଦ୍ଧା ତାଙ୍କ ଡ୍ୟୁଟି ସରିଯାଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ। ଫଳରେ ତାଙ୍କ ପରିବାର ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଓ ପରେ ଶୁକ୍ରବାର ଟ୍ୱିନ୍ ସିଟି ପୋଲିସ କମିଶନରଙ୍କୁ ଭେଟି ତାଙ୍କ ସାହାଯ୍ୟ ଲୋଡିଥିଲେ। ତାଙ୍କୁ ଅପହରଣ କରିଥିବା ନେଇ ସନ୍ଦେହ କରାଯାଉଛି।

ତେବେ ସେ ତାଙ୍କ ଫୋନ ଧରି ନଥିବାରୁ ପୋଲିସ ତାଙ୍କର ସ୍ଥାନ ଟ୍ରାକ୍ କରିବାରେ ସଫଳ ହୋଇପାରୁନାହିଁ। କିନ୍ତୁ କିଛି ସୁରାକ ପାଇବା ପାଇଁ ରାସ୍ତାରେ ଥିବା ୨୦୦ରୁ ଅଧିକ ସିସି କ୍ୟାମେରାର ଫୁଟେଜ୍ ଚେକ୍ କରିବା ସହ ତାଙ୍କ କଲ୍ ଡିଟେଲ୍ ରେକର୍ଡ ମଧ୍ୟ ଖୋଳତାଡ କରାଯାଉଥିବା ନେଇ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.