ୟୁକ୍ରେନ ଆକ୍ରମଣରେ ଋଷ ତୈଳ ବିଶୋଧନାଗାର ଧ୍ଵଂସ

କିଭ୍: ୟୁକ୍ରେନ, ଋଷ ଉପରେ ୩୬୧ଟି ଡ୍ରୋନ ଦ୍ଵାରା ଆକ୍ରମଣ କରିଥିବା ନେଇ ରବିବାର ରୁଷ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଚାରୋଟି ଗାଇଡେଡ୍ ଏରିଆଲ୍ ବୋମା ଏବଂ ଏକ ଆମେରିକା ନିର୍ମିତ HIMARS କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ।

ଏହି ଆକ୍ରମଣ ବିଶେଷ କରି ଋଷର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶାଳ କିରିଶି ନେଫ୍ଟେଓର୍ଗସିଣ୍ଟେଜ୍ ରିଫାଇନାରୀ କୁ ଲକ୍ଷ୍ୟ କରି କରାଯାଇଥିବା ଜଣାପଡିଛି। ତେବେ ଏହି ଆକ୍ରମଣ ରେ କୌଣସି ଜନଜୀବନ କ୍ଷତି ହୋଇନଥିଲେ ମଧ୍ୟ ରିଫାଇନାରୀର ଏକ ଅଂଶରେ ଭୀଷଣ ନିଆଁ ଲାଗିଯାଇଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ୍ ସୁଦ୍ଧା ଏହାକୁ ୟୁକ୍ରେନ ଦ୍ୱାରା ଋଷ ଉପରେ କରାଯାଇଥିବା ସବୁଠାରୁ ବଡ଼ ଆକ୍ରମଣ ବୋଲି ବିବେଚନା କରାଯାଉଛି। ତେବେ କିରିଶି ଅଞ୍ଚଳରେ ତିନୋଟି ଡ୍ରୋନ ନଷ୍ଟ ହେବା ସହ ଏହାର ଭଗ୍ନାବଶେଷ ସେଠାରେ ପଡ଼ିରହିଥିବା ନେଇ ଲେନିନଗ୍ରାଡର ରାଜ୍ୟପାଳ ଆଲେକଜାଣ୍ଡାର ଡ୍ରୋଜଡକୋ ସୂଚନା ଦେଇଛନ୍ତି।

ଏଥିସହିତ ନିଆଁକୁ ଲିଭାଇ ଦିଆଯିବା ସହ ବର୍ତ୍ତମାନ୍ ସୁଦ୍ଧା ରିଫାଇନାରୀର କ୍ଷତି ଆକଳନ କରାଯାଇନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଋଷର ପ୍ରମୁଖ ତୈଳ କମ୍ପାନୀ ସୁରଗୁଟନେଫ୍ଟେଗାସ୍ ବର୍ତ୍ତମାନ୍ ଏହି ରିଫାଇନାରୀ ପରିଚାଳନା କରୁଛି। ଏହା ପ୍ରତିବର୍ଷ ପ୍ରାୟ ୧୭.୭ ନିୟୁତ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଉତ୍ପାଦନ କରେ, ଅର୍ଥାତ୍ ପ୍ରତିଦିନ  ୩,୫୫,୦୦୦ ବ୍ୟାରେଲ୍ ଅଶୋଧିତ ତୈଳ ଏହା ଉତ୍ପାଦନ କରିଥାଏ।ତେବେ ଋଷ ପୂର୍ବରୁ ଇନ୍ଧନ ଅଭାବର ସମ୍ମୁଖୀନ ହେଉଥିବାରୁ ବର୍ତ୍ତମାନ୍ ଏହି ଆକ୍ରମଣ ପରେ ରାଷ୍ଟ୍ରପତି ପୁଟିନ୍ ଙ୍କର ସମସ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।

ବର୍ତ୍ତମାନ୍ ଋଷ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ ଦେଶ ଅଟେ। କିନ୍ତୁ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଋଷ ଅସୁବିଧାର ସମ୍ମୁଖୀନ ହୋଇଛି। ତୈଳର ବର୍ଦ୍ଧିତ ଚାହିଦା ଏବଂ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁଁ ସେଠାରେ ପେଟ୍ରୋଲର ଅଭାବ ଦେଖାଦେବା ସହ  ଅନେକ ଅଞ୍ଚଳରେ ଇନ୍ଧନ ଷ୍ଟେସନରେ ଯାନବାହାନର ଲମ୍ବା ଧାଡ଼ି ମଧ୍ୟ ଦେଖିବାକୁ ମିଳିଛି।

 

Leave A Reply

Your email address will not be published.