ଭୁବନେଶ୍ୱର: ଦିଲ୍ଲୀର ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଦିନ ଆୟୋଜିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ୨୦୨୩ ମସିହା ପାଇଁ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ର ସମ୍ମାନ ପ୍ରଦାନ କରାଯାଇଛି।
ଓଟିଭି ନେଟୱାର୍କର ବ୍ୟବସାୟର ମୁଖ୍ୟ ଲିତିଶା ମଙ୍ଗତ ପଣ୍ଡା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଚଳଚ୍ଚିତ୍ର ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି। ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରସିଦ୍ଧ ସିନେମାଟୋଗ୍ରାଫର ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରଟି ଲେଖକ ଶଙ୍କର ତ୍ରିପାଠିଙ୍କ ଓଡ଼ିଆ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଏବଂ ସୁପ୍ରିୟା ଅଭିନୟ କରିଥିଲେ। ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଓ ଏଥିରେ ନୀଳକଣ୍ଠଙ୍କ ଯାତ୍ରାକୁ ଦର୍ଶାଯାଇଛି।
ଏଥିସହିତ ଏଥିରେ ମୃତ୍ୟୁ ପରେ ହେଉଥିବା ରୀତିନୀତି ପୁଷ୍କର ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି।
ତେବେ ଓଡିଶାର ସିନେମାଟୋଗ୍ରାଫର ପ୍ରସାନ୍ତନୁ ମହାପାତ୍ରଙ୍କୁ ‘ଦି କେରଳ ଷ୍ଟୋରୀ’ରେ ତାଙ୍କ କାର୍ଯ୍ୟ ପାଇଁ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ସିଲଭର ଲୋଟସ୍ ପୁରସ୍କାର (ରଜତ କମଲ)ରେ ସମ୍ମାନିତ କରାଯାଇଛି। ଏହି ଫିଲ୍ମ ଟି ୨୦୨୩ ମସିହାର ଏକ ବହୁ ଚର୍ଚ୍ଚିତ ବିବାଦୀୟ ହିନ୍ଦୀ ଫିଲ୍ମ ଭାବରେ ଜଣାଶୁଣା ଥିଲା। ସୁବାଷ ସାହୁଙ୍କ ନିର୍ଦ୍ଦେଶିତ ଆଉ ଏକ ଓଡ଼ିଆ ଚଳଚ୍ଚିତ୍ର, ‘ମୋ ବୋଉ, ମୋ ଗାଁ’, ଫିଲ୍ମ କୁ ‘ସର୍ବୋତ୍ତମ ଜୀବନୀ/ଐତିହାସିକ ପୁନର୍ଗଠନ/ସଂକଳନ ଚଳଚ୍ଚିତ୍ର’ ବର୍ଗରେ ପୁରସ୍କୃତ କରାଯାଇଛି। ଏହା ଏକ ଇଂରାଜୀ ଭାଷା ଚଳଚ୍ଚିତ୍ର ସହିତ ପୁରସ୍କାରକୁ ସେୟାର କରିଥିଲା।
ଏଥିସହିତ ନିର୍ଦ୍ଦେଶକ ହିମାଂସୁ ଶେଖର ଖଟୁଆଙ୍କୁ ଅଣ-ଫିଚର ଚଳଚ୍ଚିତ୍ର ବିଭାଗରେ ‘ଦି ସି ଆଣ୍ଡ ସେଭେନ୍ ଭିଲେଜେସ୍’ ପାଇଁ ଏକ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା। ଏହି ଡକ୍ୟୁମେଣ୍ଟାରୀରେ ସାତଭାୟା ଗ୍ରାମର ଭୟଙ୍କର ଅନୁଭୂତିକୁ ବର୍ଣ୍ଣନା କରାଯାଇଥିଲା, ଯାହା କି ସମୁଦ୍ରରେ ଭାସିଯାଇଥିଲା।