ଆଗାମୀ ସପ୍ତାହରେ ବ୍ରହ୍ମପୁରରୁ ଆରମ୍ଭ ହେବ ଅମୃତ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି ସେବା ଉପଲବ୍ଧ ହେବ।

୧୯୦୨୧ ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ୫ ଅକ୍ଟୋବରରେ ସକାଳ ୭:୧୦ ରେ ଉଧନାରୁ ଛାଡିବ ଏବଂ ପରଦିନ ଅପରାହ୍ନ ୧:୫୫ ରେ ବ୍ରହ୍ମପୁରରେ ପହଞ୍ଚିବ। ସେହିପରି ସେଠାରୁ ଫେରିବା ସମୟରେ ୧୯୦୨୨ ବ୍ରହ୍ମପୁର-ସୁରତ (ଉଧନା) ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ୬ ଅକ୍ଟୋବରରେ ରାତି ୧୧.୪୫ ରେ ବ୍ରହ୍ମପୁରରୁ ଛାଡି ପରଦିନ ୮.୪୫ ରେ ଉଧନାରେ ପହଞ୍ଚିବ। ଏହି ସମୟରେ ଟ୍ରେନଟି ପଲାସା, ବିଜୟନଗରମ, ରାୟଗଡା, ଟିଟଲାଗଡ଼, ରାୟପୁର, ନାଗପୁର, ଭୁସାଭଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନଗୁଡ଼ିକରେ ଅଟକିବ।

ଏଥିସହିତ ଶ୍ରୀକାକୁଲମ୍, ବୋବିଲି, ପାର୍ବତୀପୁରମ୍, ସୁଙ୍ଗାରପୁର ରୋଡ୍, ମୁନିଗୁଡ଼ା, କେସିଙ୍ଗା, କଣ୍ଟାବାଞ୍ଜି, ଖରିଆର ରୋଡ୍, ମହାସମୁନ୍ଦ, ଲାଖୋଲି, ଦୁର୍ଗ, ଗୋଣ୍ଡିଆ, ୱାର୍ଦ୍ଧା, ବଡ଼ନେରା, ଆକୋଲା, ମାଲକାପୁର, ଜଳଗାଓଁ, ଧରାଙ୍ଗାଓଁ, ଅମଲନେର, ସିନ୍ଦଖେଡା, ଡୋଣ୍ଡାଇଚା, ନବପୁର, ଭୟାରା ଏବଂ ବରଡୋଲି ଭଳି ଷ୍ଟେସନ ମାନଙ୍କରେ ମଧ୍ୟ ଟ୍ରେନ ଅଟକିବା ନେଇ ସୂଚନା ମିଳିଛି।

ଏହି ଟ୍ରେନ ଖଣିଜ, ବୟନ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି, ବ୍ୟବସାୟ ଏବଂ କର୍ମଶକ୍ତି ଆନ୍ଦୋଳନକୁ ସମର୍ଥନ କରି ଅର୍ଥନୈତିକ ଏବଂ ଶିଳ୍ପ ଗତିଶୀଳତାକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। କେବଳ ଏତିକି ନୁହେଁ ଏହା ପଶ୍ଚିମ ଏବଂ ପୂର୍ବ ଭାରତ ମଧ୍ୟରେ ରେଳ ସଂଯୋଗକୁ ମଧ୍ୟ ସୁଦୃଢ଼ କରିବ। ଏହି ଟ୍ରେନ ଆଧୁନିକ ଡିଜାଇନ୍, ସୁଲଭ ଭଡ଼ା ଏବଂ LHB କୋଚ୍ ର ସେବା ପ୍ରଦାନ କରିବା ସହ ଏହା ମଧ୍ୟବିତ୍ତ ଶ୍ରେଣୀର ଯାତ୍ରୀମାନଙ୍କୁ ଲାଭ ପହଞ୍ଚାଇବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.