ଶ୍ରୀକ୍ଷେତ୍ରରେ ଦୀପାବଳି: ପୟାଶ୍ରାଦ୍ଧ ଦେବେ ଶ୍ରଦ୍ଧାଳୁ, ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବେ

ପୁରୀ: ଆଜି ଆଲୋକର ପର୍ବ ଦୀପାବଳି। ଉତ୍ସବ ମୁଖର ସାରା ସହର। ଆଜି କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ(ପୟା ଶ୍ରାଦ୍ଧ) ଦେବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟ ଏମାର ମଠ ଚକଡ଼ାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

୪ଟି ସ୍ଥାନରେ ବ୍ୟାରିକେଡ଼୍‌ ଘେରାଇ ତଳେ ବାଲି ପକାଯିବା ସହ ଶ୍ରଦ୍ଧାଳୁମାନେ ସେଠାରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବାକୁ ପ୍ରସ୍ତୁତି ହେଉଛି। କୌଣସି ଅଘଟଣର ସାମ୍ନା କରିବାକୁ ଅଗ୍ନିଶମବାହିନୀଙ୍କ ସମେତ ଆମ୍ବୁଲାନ୍ସ ରହିବ। କାର୍ତ୍ତିକ ମାସ ଅବସରରେ ଶ୍ରୀମନ୍ଦିରରେ ପ୍ରଚଳିତ ଦର୍ଶନ ବ୍ୟବସ୍ଥାର କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂହ।

ଆଲୋକର ପର୍ବ ଦୀପାବଳିରେ ବଡ଼ଦାଣ୍ଡ ସମେତ ତୀର୍ଥ ପୁଷ୍କରିଣୀରେ ଲାଗିବ ପ୍ରବଳ ଭିଡ଼। ସକାଳୁ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ସମେତ ପବିତ୍ର ମହୋଦଧିରେ ସ୍ନାନକରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପହଞ୍ଚିବେ। ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ପୂର୍ବଜଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ପୂର୍ବପୁରୁଷଙ୍କ ମୋକ୍ଷପ୍ରାପ୍ତି ଓ ପରିବାର ପାଇଁ ଆର୍ଶୀବାଦ ଲାଭ କରିବେ। ଠାକୁରଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ବ୍ରାହ୍ମଣ ଭୋଜନ କରାଇ ପୂଣ୍ୟ ଅର୍ଜନ କରିବେ।

ଦୀପାବଳି ଅବସରରେ ସନ୍ଧ୍ୟାରେ ସୁସଜ୍ଜିତ ଆଲୋକମାଳାରେ ସାରା ସହର ଝଲସି ଉଠିବ। ସହରବାସୀ ଘରେ ଘରେ ଦୀପ ଓ ମହମବତୀ ଲଗାଇବା ସହ କାଉଁରିଆ ଜାଳିବେ। ବିଭିନ୍ନ ଅନୁଷ୍ଠାନ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହେବ। ବ୍ୟବସାୟିକ ଅନୁଷ୍ଠାନ ବେଶ ଜାକଜମକରେ ପାଳନ କରିବେ। ବିପଦଜନକ ବାଣ ନଫୁଟାଇବାକୁ ଗଣମାଧ୍ୟମ ଜରିଆରେ ଏସ୍‌ପି ସିଂହ ସଭିଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.