ସଜେଇ ହେଉଛି ସାକ୍ଷୀଗୋପାଳ; କାଲି ମା’ରାଧାରାଣୀଙ୍କ ଓଡ଼ିଆଣୀ ବେଶ

ପୁରୀ: ଆସନ୍ତାକାଲି ପବିତ୍ର ଅଁଳା ନବମୀ । ପବିତ୍ର ଅଁଳା ନବମୀରେ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ବର୍ଷକୁ ଗୋଟିଏ ଥର ସାକ୍ଷୀଗୋପିନାଥ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ସହ ପାଦ ଦର୍ଶନ ଅନୁଷ୍ଠିତ ହୋଇଥାଏ । ଏହାସହ ଠାକୁର ଶ୍ରୀ ଗୋପାଳଜୀଉଙ୍କ ନଟବର ବେଶ ଅନୁଷ୍ଠିତ ହେବ ।

ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ଼ ମଧ୍ୟରେ ସିସିଟିଭି, ଲାଇଟିଙ୍ଗ ସହିତ ଫ୍ୟାନ ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ଦାୟିତ୍ବରେ ୨ ଜଣ ଅତିରିକ୍ତ ଏସପି, ୧୧ ଡିଏସପି, ୨୧ ଜଣ ଇନ୍ସପେକ୍ଟର, ୭୦ ଏଏସଆଇ, ୨୫୦ ହୋମଗାର୍ଡଙ୍କ ସହିତ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ସୂଚନାଥାଉକି, ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାଆନ୍ତି। ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। କିନ୍ତୁ ଅଁଳା ନବମୀ ଦିନ ଶ୍ରୀଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ସାଜି କାଣିଆକଛା ମାରିଥିବାରୁ ତାଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ମିଳିଥାଏ।ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳାଫଳ ମାଳ ଓ ଡାଇମଣ୍ଡ୍‌ କଟା ଚାପସରି, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗପାଟିଆ ମାଳ, ସୁବର୍ଣ୍ଣ ଚକିମାଳ, ସୁବର୍ଣ୍ଣ କମରପଟି, ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ରହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରିଆମାଳ, ସୁବର୍ଣ୍ଣ ତାବିଜମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖିମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କି, ପାପଦ୍ମ ଓ ଚୁପୁଲି ଶୋଭା ପାଏ।

Leave A Reply

Your email address will not be published.