ମୁମ୍ବାଇ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଅକ୍ଟୋବର ୩୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଖବର ଆସୁଛି ଯେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଯାହା ଫଳରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୮୯ ବର୍ଷୀୟ ଏହି ଅଭିନେତାଙ୍କୁ ଗତ କିଛି ଦିନ ଧରି ଡାକ୍ତରଙ୍କ ତତ୍ତ୍ଵାବଧାନରେ ରଖାଯାଇଛି। ଆଉ ଏବେ ସେ ICUରେ ଥିବା କୁହାଯାଉଛି। ତାଙ୍କ ଡିସଚାର୍ଜ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ତାଙ୍କ ଦୁଇ ପୁଅ ସନି ଦେଓଲ ଏବଂ ବବି ଦେଓଲ ତାଙ୍କ ସହିତ ରହିଛନ୍ତି।
ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ହସ୍ପିଟାଲ କର୍ମଚାରୀମାନେ କହିଛନ୍ତି, “ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ। ତାଙ୍କ ଅବସ୍ଥା ସ୍ଥିର ଅଛି। ଡାକ୍ତରମାନେ ତାଙ୍କୁ ନିରନ୍ତର ଅବଜରଭେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯଦିଓ ତାଙ୍କୁ କେବେ ଡିସଚାର୍ଜ କରାଯିବ ସେନେଇ ସ୍ପଷ୍ଟ ହୋଇନାହିଁ।
ଅଭିନେତା ଜଣକ ଡିସେମ୍ବରରେ ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିବେ। ସେ ଗତ କିଛି ବର୍ଷ ଧରି ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ୁଛନ୍ତି। ଗତ ଏପ୍ରିଲ ୨୦୨୫ରେ ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ ସୁସ୍ଥ ହୋଇଥିଲେ। ତେବେ ବୟସାଧିକ ସତ୍ତ୍ୱେ ସେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସକ୍ରିୟ ଅଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୨୪ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ “ତେରି ବାତୋ ମେଁ ଐସା ଉଲଜା ଜିୟା” ରେ ଦେଖିବାକୁ ମିଳିଥିଲା। ସେ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ “ଇକିସ” ରେ ମଧ୍ୟ ନଜର ଆସିବେ। ଯେଉଁଥିରେ ଅଗସ୍ତ୍ୟ ନନ୍ଦ ଏବଂ ସିମର ଭାଟିଆ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମଟି ଡିସେମ୍ବରରେ ମୁକ୍ତିଲାଭ କରିବ।