ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ଛୁଟି ତାଲିକା। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୨୯ଟି ସରକାରୀ ଛୁଟି ରହିଛି।
ଏଥିରୁ ୬ଟି ଛୁଟି ଦ୍ୱିତୀୟ ଶନିବାର ଓ ରବିବାରରେ ପଡ଼ୁଥିବାରୁ ଅଯଥାରେ ଚାଲିଯିବ। ସେହିପରି ନୂଆଖାଇ ପାଇଁ ଦୁଇ ଦିନ ଛୁଟି କରିଛନ୍ତି ସରକାର। ଏଥିସହ ୯ଟି ଇଚ୍ଛାଧୀନ ଛୁଟି ଘୋଷଣା ହୋଇଛି। ଯେଉଁଥିରୁ ସରକାରୀ କର୍ମଚାରୀ ଗୋଟିଏ ଛୁଟି ନେଇପାରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସରକାରୀ ଛୁଟି ତାଲିକା ପ୍ରକାଶ କରାଯାଇଛି।

ନୂଆଖାଇ ପାଇଁ ଆସନ୍ତା ବର୍ଷ ସେପ୍ଟେମ୍ବର ୧୫ ତାରିଖ ଓ ଏହାର ପରଦିନ (୧୬ ତାରିଖ)କୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ବର୍ଷର ୨୯ ଛୁଟିରୁ ୫ଦିନ ରବିବାର ଓ ଗୋଟିଏ ଦିନ ଦ୍ୱିତୀୟ ଶନିବାର ପଡୁ଼ଛି। ଫେବ୍ରୁଆରୀ ୧୫ ତାରିଖରେ ମହା ଶିବରାତ୍ରି ଥିବା ବେଳେ ଏହି ଦିନ ରବିବାର ପଡୁ଼ଛି। ଜୁନ୍ ୧୪ରେ ପହିଲି ରଜ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୨୫ରେ କୁମାର ପୂର୍ଣ୍ଣିମା ଓ ନଭେମ୍ବର ୮ରେ ଦୀପାବଳି ଆଦି ଛୁଟି ରବିବାର ଦିନ ପଡୁ଼ଛି। ସେହିପରି ଅକ୍ଟୋବର ୧୦ରେ ମହାଳୟା ଦ୍ୱିତୀୟ ଶନିବାର ପଡୁ଼ଛି। ଫଳରେ ସରକାରୀ କର୍ମଚାରୀଙ୍କ ୬ ଦିନ ଛୁଟି ନଷ୍ଟ ହେଉଛି।