‘ହ୍ୟୁାମାନ ସାଗରଙ୍କ ମୃତ୍ୟୁର ତଦନ୍ତ କରାଗଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ’

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ବିବାଦ ବଢିବାରେ ଲାଗିଛି । ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ ପରେ ବିବାଦ ତେଜୁଛି । ଉଭୟଙ୍କୁ ଜେରା ପାଇଁ ନିଆଯାଇପାରେ ବୋଲି ଖବର ରହିଛି ।

ସେପଟେ ପୁଅ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଆ ଶେଫାଳୀ ସୁନା ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି । ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ ଆଗୁଆ ଜଣାଯାଉନଥିବା ମା କହିଛନ୍ତି । ପ୍ରୋଗାମ ବୁକ୍‌ କରିବା ଓ ଟଙ୍କା ଧାର୍ଯ୍ୟ କରିବା କାମ ପପୁ କରୁଥିଲା । ହ୍ୟୁମାନଙ୍କ ବାବଦରେ ପପୁ ସବୁ ଜାଣିଥିଲା । ୧୦ ତାରିଖରେ ଅସୁସ୍ଥତା ଥାଇ ଭୁବନେଶ୍ୱରରେ ପ୍ରୋଗାମ ରଖାଯାଇଥିଲା । ୧୧ତାରିଖରେ ତାକୁ ହସ୍ପିଟାଲ ନେଇ କିଛି ସମୟରେ ଅଣାଯାଇଥିଲା । ୧୨ ତାରିଖରେ ୧୦୩ ଜ୍ୱର ଥାଇ ବି ପ୍ରୋଗାମ ରଖାଯାଇଥିଲା, ଆଉ ସେହି ପପୁ ଆସି ତକେୁ ହସ୍ପିଟାଲ ନେଇଥିଲା । ସେହିଦିନ ହିଁ ତାକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା, ଏତେ ଅସୁସ୍ଥତା ସତ୍ତ୍ବେ ମୋତେ କିଛି ବି ଅବଗତ କରାଯାଇନଥିଲା ।

ହ୍ୟୁମାନଙ୍କ ମାଆଙ୍କୁ ଦିନେଶ ଓ ପ୍ରଶାନ୍ତ ଗାଳିଗୁଲଜ କରୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ କୋଶଳବାଦୀ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି ।

ଅନ୍ୟପକ୍ଷେ ତାଙ୍କ ଗୁରୁ ପ୍ରେମଆନନ୍ଦ ମଧ୍ୟ କହିଛନ୍ତି, ହ୍ୟୁମାନ ସାଗରଙ୍କୁ ଇମୋସନାଲ ଟ୍ରାପ କରାଯାଉଥିଲା। ତାଙ୍କ ଶାରିରୀକ ଅସୁସ୍ଥତା କଷ୍ଟ ଦେଉଥିଲା। ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ। ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ ନୁହେଁ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ ଦାବି କରିଛନ୍ତି ।

Leave A Reply

Your email address will not be published.