ବର୍ଷିଲା ଭାରତ; କାହାକୁ ଭାଷଣ ମାରିବାର ପାକିସ୍ତାନର ନୈତିକ ଅଧିକାର ନାହିଁ

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନ ସମାରୋହ କୁ ନେଇ ପାକିସ୍ତାନ ଦେଇଥିବା ମନ୍ତବ୍ୟ ପରେ ବୁଧବାର ଦିନ ଭାରତ ନିଜର ଅସନ୍ତୋଷ ପ୍ରକାଶ କରିଛି।

ପାକିସ୍ତାନ ନିଜର ମାନବାଧିକାର ରେକର୍ଡ ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ ସଂଖ୍ୟାଲଘୁଙ୍କ ପ୍ରତି ଧର୍ମାନ୍ଧତା, ଦମନ ଏବଂ ରୀତିମତ ଦୁର୍ବ୍ୟବହାରର ସୀମା ଅତିକ୍ରମ କରିଥିବା ପାକିସ୍ତାନର ଅନ୍ୟମାନଙ୍କୁ ଭାଷଣ ଦେବାର କୌଣସି ନୈତିକ ଅଧିକାର ନାହିଁ।

ଏହିପରି ଉପଦେଶ ଦେବା ପରିବର୍ତ୍ତେ ପାକିସ୍ତାନ ଆତ୍ମନିରୀକ୍ଷଣ କରିବା ଉଚିତ ବୋଲି ସେ କହିଥିଲେ। ତେବେ ପାକିସ୍ତାନ ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନକୁ ବିରୋଧ କରିବା ପରେ ବୈଦେଶିକ ମନ୍ତ୍ରଣାଳୟ ଏହି ମନ୍ତବ୍ୟ ଦେଇଥିବା ନେଇ କୁହାଯାଉଛି।ଏହା ଦ୍ବାରା ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଚାପ ବୃଦ୍ଧି ହେବା ସହ ମୁସଲିମ ମାନଙ୍କ ଐତିହ୍ୟକୁ ଶେଷ କରିବାର ଏହା ଏକ ପ୍ରୟାସ ବୋଲି ପାକିସ୍ତାନ ଦାବି କରିଥିଲା।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଉପରେ ନାରଙ୍ଗୀ ରଙ୍ଗର ପତାକା ଉତ୍ତୋଳନ କରି ମନ୍ଦିର ନିର୍ମାଣର ଆନୁଷ୍ଠାନିକ ସମାପ୍ତି କରିଥିଲେ। ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉତ୍ସବ ରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.