ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା; ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖି ବିଭୋର ହେଲେ ଦର୍ଶକ

ଭୁବନେଶ୍ବର: ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ଓଡ଼ିଶୀ ନୃତ୍ୟରେ ଉଜ୍ଜୀବିତ କରିଛନ୍ତି ନୃତ୍ୟଶିଳ୍ପୀ ଗୁରୁ ସଙ୍ଗୀତା ଦାଶ। “କେଡେ ଛନ୍ଦ ଜାଣେ ଲୋ ସହି” ଓଡ଼ିଶୀ ଅଭିନୟରେ ଶ୍ରୀକୃଷ୍ଣଙ୍କ ବାଲ୍ୟକାଳ ଲୀଳା ସମୂହ – ପୁତନା ବଦ୍ଧ, ଗୋବର୍ଦ୍ଧନ ପର୍ବତ ଧାରଣ, କାଳିଆ ଦଳନ, ମା ଯଶୋଦାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ରହିଥିବା ବାତ୍ସଲ୍ୟ ମମତାକୁ ଓଡ଼ିଶୀର ଭଙ୍ଗୀ ପ୍ରଦାନ କରିଥିଲେ ଗୁରୁ ସଙ୍ଗୀତା ଦାଶ। ଆଜିର ଏହି ପରିବେଷଣ ରବୀନ୍ଦ୍ର ମଣ୍ଡପରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଭକ୍ତିର ଭାବରେ ବିଭୋର ହୋଇଥିଲେ ଦର୍ଶକ।

ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆମ ସମସ୍ତଙ୍କୁ ସଦା ସର୍ବଦା ଭକ୍ତିରସରେ ଭିଜାଇଥାଏ। ପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କ ବାଲ୍ୟଜୀବନକୁ ଦର୍ଶକମାନଙ୍କ ଆଗରେ ପରିବେଷଣ କରିବା ମୋ ପାଇଁ ସ୍ଵଭାଗ୍ୟ, ବୋଲି କହିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ସଙ୍ଗୀତା ଦାଶ।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଗୋଡମେକର୍ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟାଭିନୟ ମଙ୍ଗଳାଚରଣ “ନୀଳଦ୍ରୌ ଶଙ୍ଖ ମଧେ ଶତଦଳ କମଳେ” ପରିବେଷଣ ହୋଇଥିଲା। ପରେ ପରେ ଓଡ଼ିଶୀ ଏକକ ନୃତ୍ୟ ପରିବେଷିତ ହୋଇଥିଲା। ଓଡ଼ିଶୀ ଦ୍ୱୈତ ନୃତ୍ୟ ପର୍ଯ୍ୟାୟ ଏବଂ ଶେଷରେ ଦଳଗତ ନୃତ୍ୟରେ ଶ୍ରୀ ବିଦ୍ୟା ସଂଗୀତ ଏବଂ କଳା ପ୍ରତିଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “ଦଶ ମହାବିଦ୍ୟା” ପରିବେଷିତ ହୋଇଥିଲା।

Leave A Reply

Your email address will not be published.