ମୁଁ ବି ଡାକ୍ତର ହେବାକୁ ଚାହୁଁଥିଲି : ଗେହ୍‌ଲଟ୍‌

ଜୟପୁର: ପିଲାଦିନେ ମୁଁ ବି ଡାକ୍ତର ହେବାକୁ ଚାହୁଁଥିଲି କିନ୍ତୁ, ସଫଳ ହେଲି ନାହିଁ ବୋଲି କୋଟାରେ ବୃଦ୍ଧି ପାଉଥିବା ଛାତ୍ର ଆତ୍ମହତ୍ୟା ଉପରେ ଚିନ୍ତା ପ୍ରକଟ କରି ଶନିବାର ଦିନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ କହିଛନ୍ତି।ରାଜ୍ୟସ୍ତରୀୟ ‘ଯୁବ ମହାପଞ୍ଚାୟତ’ ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ ଗେହ୍‌ଲଟ୍‌ କହିଲେ, ଗତ ୮ ମାସରେ ‌କୋଟାରେ ୨୦ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଦୁଃଖ ତଥା ଉଦ୍‌ବେଗର ବିଷୟ। ପିଲାଦିନେ ମୁଁ ବି ଡାକ୍ତର ହେବାକୁ ଚାହୁଁଥିଲି। ସେଥିପାଇଁ ରାତି ୨ଟା/୩ଟା ପର୍ଯ୍ୟନ୍ତ ପଢ଼ାପଢ଼ି କରୁଥିଲି।

କିନ୍ତୁ, ସଫଳ ହେଲିନାହିଁ। ତା’ବୋଲି ମୁଁ ହତୋତ୍ସାହ ହେଲି ନାହିଁ। ମୁଁ ମୋର ଲକ୍ଷ୍ୟ ବଦଳାଇ ଦେଇ ସାମାଜିକକର୍ମୀ ହେଲି, ରାଜନୀତିରେ ପ୍ରବେଶ କଲି ଓ ଆଜି ମୁଁ ତୁମମାନଙ୍କ ଆଗରେ ଠିଆ ହୋଇଛି। ୩ ଥର ମୁଖ୍ୟମନ୍ତ୍ରୀ ହେବି, ୩ ଥର କେନ୍ଦ୍ରମନ୍ତ୍ରୀ ହେବି ବୋଲି କଳ୍ପନା କରି ନ ଥିଲି। ପିଲାମାନଙ୍କ ଉପରେ ଚାପ ପଡ଼ିବା ଅନୁଚିତ ବୋଲି ଅଭିଭାବକମାନେ ହୃଦୟଙ୍ଗମ କରିବା କଥା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୋଟା ହଷ୍ଟେଲ୍‌ ରୁମ୍‌ରେ ଜଣେ ୧୭ ବର୍ଷିୟ ‘ଜେଇଇ’ ଆଶାୟୀ ଫାଶୀ ଲଗାଇ ମରିବାର ଦିନକ ପରେ ଗେହ୍‌ଲଟ୍‌ ଉପରୋକ୍ତ କଥା କହିଛନ୍ତି। କୋଟାରେ ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଭିଭାବକ, ଶିକ୍ଷକ, ହଷ୍ଟେଲ୍‌ ମାଲିକ ଏବଂ ସରକାରୀ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ଉଦ୍‌ବେଗ ଦେଖା ଦେଇଛି।

ସଂଗୃହୀତ ସୂଚନା ଅନୁସାରେ, ସମ୍ପ୍ରତି କୋଟାରେ ‘ପେଇଙ୍ଗ୍‌ ଗେଷ୍ଟ୍‌ ରୁମ୍‌’ରେ ୨୫,୦୦୦ରୁ ଅଧିକ ଓ ହଷ୍ଟେଲ୍‌ରେ ୩୫,୦୦୦ ଛାତ୍ରଛାତ୍ରୀ ରହି ପ୍ରବେଶିକା ପରୀକ୍ଷା ଦେବା ପାଇଁ ବିଭିନ୍ନ ଅନୁଷ୍ଠାନରେ କୋଚିଙ୍ଗ୍‌ ନେଉଛନ୍ତି।

Leave A Reply

Your email address will not be published.