ଭଜିଙ୍କ ଭବିଷ୍ୟବାଣୀ, ଏଥର ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: IPL ସିଜନ୍ ଆରମ୍ଭ ପୂର୍ବରୁ କ୍ରିକେଟ୍ ମଇଦାନରେ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ସମୟରେ ପୂର୍ବତନ ଦିଗ୍ଗଜ ସ୍ପିନର ହରଭଜନ ସିଂ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ରଣନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ।

ହରଭଜନ ସିଂଙ୍କ କହିବା ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଥର ଏକ ନୂତନ ଜୋସ୍ ସହ ପଡ଼ିଆକୁ ଓହ୍ଲାଇବ। ଗତ ୫ ବର୍ଷର ଟାଇଟଲ୍ ଅପେକ୍ଷାର ଅନ୍ତ ଘଟାଇବା ହିଁ ପାଣ୍ଡ୍ୟାଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ଭଜି କହିଛନ୍ତି ଯେ, ଯଦି ମୁମ୍ବାଇକୁ ଚାମ୍ପିଅନ୍ ହେବାକୁ ଅଛି, ତେବେ ହାର୍ଦ୍ଦିକଙ୍କୁ ଆଗକୁ ଆସି ଆକ୍ରମଣାତ୍ମକ କ୍ୟାପ୍ଟେନ୍ସି କରିବାକୁ ପଡ଼ିବ ।

ପାଣ୍ଡ୍ୟାଙ୍କୁ ନିଜର ସ୍ୱାଭାବିକ ଆକ୍ରମଣାତ୍ମକ ଶୈଳୀରେ ଖେଳିବାକୁ ହେବ। ଏଥିସହ ଟି-୨୦ ବିଶ୍ୱକପ୍ ଭଳି ଏଠାରେ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ଜରୁରୀ।

କେବଳ ନେତୃତ୍ୱ ନୁହେଁ, ବରଂ ଦଳର ସନ୍ତୁଳନ ରକ୍ଷା କରିବା ଉପରେ ମଧ୍ୟ ହରଭଜନ ଗୁରୁତ୍ୱ ଦେଇଛନ୍ତି। ଦଳର ଓପନିଂ ଯୋଡ଼ି ଏବଂ ପ୍ଲେଇଙ୍ଗ-୧୧ ଚୟନରେ ସ୍ୱଚ୍ଛତା ରହିବା ଉଚିତ୍। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ପରି ଶୀର୍ଷ ବ୍ୟାଟରଙ୍କ ଉପସ୍ଥିତିରେ ରୟାନ୍ ରିକଲ୍ଟନ ଏବଂ କ୍ୱିଣ୍ଟନ ଡି କକ୍‌ଙ୍କୁ ଏକାଠି ଖେଳାଇବା ଦଳ ପାଇଁ କଷ୍ଟକର ହୋଇପାରେ ।

ଯଦି ଅଧିନାୟକ ପାଣ୍ଡ୍ୟା ଆଗକୁ ବଢ଼ି ଟିମ୍‌କୁ ରାସ୍ତା ଦେଖାନ୍ତି, ତେବେ ବାକି ଖେଳାଳିମାନେ ମଧ୍ୟ ସେହି ଭରସାରେ ଭଲ ପ୍ରଦର୍ଶନ କରିବେ।

ତେବେ ଭଜି ଭବିଷ୍ୟବାଣୀ ଏବଂ ପାଣ୍ଡ୍ୟାଙ୍କ ଏହି ନୂଆ ରଣନୀତି ମୁମ୍ବାଇକୁ ଷଷ୍ଠ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତାଇବାରେ ସଫଳ ହେଉଛି କି ନାହିଁ ଆଗାମୀ ଦିନରେ ଜଣା ପଡ଼ିବ ।

Leave A Reply

Your email address will not be published.