ଏନ୍‌ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଜାରି ରଖିବେ ଶରଦ ପାୱାର

ଏନ୍‌ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଜାରି ରଖିବେ ଶରଦ ପାୱାର। ଦଳର ବରିଷ୍ଠ ନେତାଙ୍କ ଏକ ପ୍ୟାନେଲ୍‌ ପାୱାରଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛି। କହି ରଖୁଛୁ, ଶରଦ ପାୱାର ମେ’ ୨ରେ ହଠାତ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଦଳର ଅନେକ ନେତା ଏବଂ କର୍ମୀ ପାୱାରଙ୍କୁ ନିଜ ଇସ୍ତଫା ଫେରାଇନେବାକୁ ଦାବି କରୁଥିଲେ।କମିଟି ବୈଠକ ପରେ ଏନ୍‌ସିପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଦଳର ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି, ‘ଶରଦ ପାୱାର ହଠାତ୍ ମେ’ ୨ରେ ଇସ୍ତଫା ଘୋଷଣା କରିଥିଲେ। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତଥା ନୂତନ ଅଧ୍ୟକ୍ଷ ବାଛିବା ପାଇଁ ସେ ଦଳର ନେତାମାନଙ୍କର ଏକ କମିଟି ଗଠନ କରିଥିଲେ। ଆଜି ଆମେ କମିଟିର ବୈଠକ କରିଥିଲୁ’।

ପଟେଲ ଆହୁରି କହିଛନ୍ତି ଯେ ‘ମୋ ବ୍ୟତୀତ ଅନେକ ନେତା ପାୱାରଙ୍କୁ ଭେଟିଥିଲେ। ଆମେ ତାଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କ୍ରମାଗତ ଭାବରେ ଅନୁରୋଧ କରିଥିଲୁ, କାରଣ ଏହି ସମୟରେ ଦେଶ ଏବଂ ଦଳକୁ ତାଙ୍କର ଆବଶ୍ୟକ ରହିଛି। କେବଳ ଏନ୍‌ସିପି ନେତା ନୁହଁନ୍ତି, ଦଳର ଅନ୍ୟ ନେତା ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଧ୍ୟ ତାଙ୍କୁ ଦଳର ମୁଖ୍ୟ ଭାବରେ ଜାରି ରଖିବାକୁ ଅନୁରୋଧ କରିଥିଲେ’।

ପଟେଲ କହିଛନ୍ତି କି, ‘ପାୱାର ଆମକୁ ନ ଜଣାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଦଳୀୟ କର୍ମୀ ଏବଂ ନେତାଙ୍କ ସମସ୍ତ ଦାବିକୁ ବିଚାର କରି ଆମେ ଆଜି ବୈଠକ କରିଥିଲୁ ଏବଂ କମିଟି ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଛି। କମିଟି ସର୍ବସମ୍ମତି କ୍ରମେ ଏହି ଇସ୍ତଫାକୁ ଖାରଜ କରିଛି ଏବଂ ଆମେ ତାଙ୍କୁ ଦଳର ଅଧ୍ୟକ୍ଷ ଭାବରେ ଜାରି ରହିବାକୁ ଅନୁରୋଧ କରୁଛୁ’।

Leave A Reply

Your email address will not be published.