ବିକଶିତ ସମ୍ବଲପୁର’ ପାଇଁ ୩ ସୂତ୍ରୀ ଫର୍ମୁଲା ଦେଲେ କେନ୍ଦ୍ରମନ୍ତ୍ରୀ

*‘ବିକଶିତ ସମ୍ବଲପୁର’ ପାଇଁ ୩ ସୂତ୍ରୀ ଫର୍ମୁଲା ଦେଲେ କେନ୍ଦ୍ରମନ୍ତ୍ର*

*ସମ୍ବଲପୁରର ବ୍ରାଣ୍ଡେଡ୍, ପର୍ଯ୍ୟାପ୍ତ ପ୍ରତିଭା ଏବଂ ଭବିଷ୍ୟତଗାମୀ ଦୃଷ୍ଟିଭଙ୍ଗୀ ଜିଲ୍ଲାକୁ ଅଗ୍ରଣୀ କରାଇବ – ଧର୍ମେନ୍ଦ୍ର ପ୍ରଧାନ*

• “ମୋର ସ୍ୱପ୍ନର ସମ୍ବଲପୁର : ୨୦୪୭”ର କଳ୍ପନା କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ସମ୍ବଲପୁର ଦେଶର ଶ୍ରେଷ୍ଠ ୫୦ ସହର ମଧ୍ୟରେ ଆଗରେ ରହିବ
• ସମ୍ବଲପୁର ହେବ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ
• ‘ଲନ୍ ବଲ୍ ସମ୍ମର କୋଚିଙ୍ଗ କ୍ୟାମ୍ପ’ରେ ଯୁବ କ୍ରୀଡାବିତ ମାନଙ୍କ ସହ ଫୁଟବଲ ଖେଳିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର, ମଇ ୧୨ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର “ମୋର ସ୍ୱପ୍ନର ସମ୍ବଲପୁର : ୨୦୪୭”ର କଳ୍ପନା କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବଲପୁରକୁ ଆଗକୁ ନେବା ପାଇଁ ତିନିସୂତ୍ରୀ ଫର୍ମୁଲା ଦେଇଛନ୍ତି । ସମ୍ବଲପୁରର ବ୍ରାଣ୍ଡେଡ୍, ପର୍ଯ୍ୟାପ୍ତ ପ୍ରତିଭା ଏବଂ ଭବିଷ୍ୟତଗାମୀ ଦୃଷ୍ଟିଭଙ୍ଗୀ (ବ୍ରାଣ୍ଡେଡ୍, ଟ୍ୟାଲେଣ୍ଟ ପୁଲ୍ ଏବଂ ଫ୍ୟୁଚରିଷ୍ଟିକ୍ ଆପ୍ରୋଚ୍) ଦ୍ୱାରା ସମ୍ବଲପୁର ଆଗାମୀ ଦିନରେ ଅଗ୍ରଣୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବିକଶିତ ଭାରତ ଓ ବିକଶିତ ସମ୍ବଲପୁରକୁ ନେଇ ନିଜର ସ୍ୱପ୍ନ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ୨୩ ବର୍ଷ ପରେ ଅପାର ସମ୍ଭାବନାର ଅଞ୍ଚଳ ସମ୍ବଲପୁରରେ ଐତିହ୍ୟ, ଜୀବନଜୀବିକା, ଜ୍ଞାନର ପ୍ରଣାଳୀ, ଅର୍ଥନୀତି କଣ ହେବ, ଏହା ଉପରେ ଆମକୁ ଭାବିବା ପାଇଁ ପଡିବ । କେବଳ ଭାବିଲେ ହେବ ନାହିଁ, ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବା ପାଇଁ ପଡିବ । ଜଣେ ଲୋକ ଦାୟିତ୍ୱ ନେଲେ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରୁହେ । ତେଣୁ କେବଳ ଦାବି କଲେ ହେବ ନାହିଁ ବ୍ୟକ୍ତିଗତ ସ୍ତରରେ ସମାଧାନର ରାସ୍ତା ବାହାର କରିବା ପାଇଁ ପଡିବ । ମୋର ସ୍ୱପ୍ନ କଣ, ମୋର ଦାୟିତ୍ୱ କଣ ଏବଂ ତା’ ପାଇଁ କଣ କାମ କରିବା ଦରକାର, ଏହା ଉପରେ ଦୃଷ୍ଟି ଦେବାକୁ ହେବ ।

କଳା, ସଂସ୍କୃତିର ସହର ସମ୍ବଲପୁର ଏକ ବ୍ରାଣ୍ଡେଡ୍ ସହର । ଏଥିପାଇଁ ଏହାର ସବୁ ବିଷୟକୁ ଗୁରୁତ୍ୱ ଦେବାକୁ ପଡିବ । ଏଠାରେ ପ୍ରତିଭାମାନ ଯୁବଶକ୍ତି ଓ ଲୋକମାନେ ଅଛନ୍ତି । ତେଣୁ ଭବିଷ୍ୟତଗାମୀ ଦୃଷ୍ଟିକୋଣରେ ଆମେ ଜିଲ୍ଲାକୁ ଆଗକୁ ନେଇପାରିବା । ଏହା ହେଲେ ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ସମ୍ବଲପୁର ଦେଶର ଶ୍ରେଷ୍ଠ ୫୦ ସହର ମଧ୍ୟରେ ଆଗରେ ରହିବ । ଏଥିପାଇଁ ଆଗାମୀ ଆଧୁନିକ ଦୁନିଆର ନୂଆ ବା ଆଧୁନିକ ଅର୍ଥନୀତି ସହ ସମ୍ବଲପୁରକୁ ଯୋଡିବା ପାଇଁ ପଡିବ । ସମ୍ବଲପୁରକୁ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ହେବ । ଆଗାମୀ ଦିନରେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ସମ୍ବଲପୁର ଏକ ଅଗ୍ରଣୀ ଅଞ୍ଚଳ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ ‘ସମ୍ବଲପୁର ଜିଲ୍ଲା ବୋଲିଂ ଆସୋସିଏସନ’ ତରଫରୁ ଆୟୋଜିତ ଲନ୍ ବଲ୍ ସମ୍ମର କୋଚିଙ୍ଗ କ୍ୟାମ୍ପରେ ଯୁବ କ୍ରୀଡାବିତ ମାନଙ୍କୁ ଭେଟିଛନ୍ତି । କ୍ରୀଡାବିତଙ୍କ ସହିତ ଫୁଲବଲ୍ ଖେଳିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଜିଲ୍ଲାରେ ଲନ୍ ବଲର ଲୋକପ୍ରିୟତା ବଢିଥିବା ବେଳେ ଏହି ଖେଳ ଅନ୍ତରାଷ୍ଟୀୟ ମାନ୍ୟତା ପାଇଛି । ଖେଳ, ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଭରେ । ଶୃଙ୍ଖଳା ଓ ସକରାତ୍ମକ ଚିନ୍ତାଧାରା ଦେଇଥାଏ । ସମ୍ବଲପୁରରେ ଲନ୍ ବଲ୍ ସମେତ ଫୁଟବଲ, କ୍ରିକେଟ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କବାଡି; ଆଥଲେଟିକ୍ସ ସମେତ ସବୁ ଖେଳକୁ ପ୍ରୋତ୍ସାହନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.