ଭୁବନେଶ୍ବର: ଓଡିଶାରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତ କେଭି ସିଂହଦେଓ ଓ ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ, ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ନୂଆ ନୁହେଁ । ଓଡିଶା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ପରେ ବି ସମାନ ଫର୍ମୂଲା ଲାଗୁ କରିଥିଲା ବିଜେପି । ତେବେ ଏଭଳି ଫର୍ମୂଲା ପଛରେ କଣ ରହିଛି କାରଣ?
କାହିଁକି ଦୁଇ ଡେପୁଟି ସିଏମ୍ ମଡେଲ୍ ?
ରାଜ୍ୟରେ ସାମୁହିକ ନେତୃତ୍ବ ପାଇଁ ଏପରି ମଡେଲ୍ ଲାଗୁ କରିଆସୁଛି ବିଜେପି । ଆଉ ସେଥିପାଇଁ ବଡ଼ ରାଜ୍ୟଗୁଡିକରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି ଦଳ। ଏହାଦ୍ବାରା ଜାତିଗତ ସମୀକରଣ ସନ୍ତୁଳନ କରିବାରେ ବିଜେପି ସଫଳ ହୋଇଛି । ପ୍ରଥମେ ଉତ୍ତରପ୍ରଦେଶରେ ଏହି ମଡେଲ୍ ଲାଗୁ କରିଥିଲା ବିଜେପି । ତେବେ ଗତବର୍ଷର ନିର୍ବାଚନ ପରେ ବଡ ରାଜ୍ୟ ପାଇଁ ଏହା ବିଜେପିର ପାଟର୍ଣ୍ଣରେ ପରିଣତ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜ୍ୟରେ ଭିନ୍ନ ଭିନ୍ନ ଜାତିର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ଯାହାଦ୍ବାରା ରାଜ୍ୟ କ୍ଷମତାର ତିନିଟି କେନ୍ଦ୍ର ସ୍ଥାପିତ ହୋଇଥିଲା ।
ଓଡିଶାରେ ୧+୨ ଫର୍ମୁଲା
୨୦୧୭ରେ ପ୍ରଥମେ ଲାଗୁ
୨୦୧୭ମସିହାରେ ଉତ୍ତରପ୍ରଦେଶରେ ବମ୍ପର ବିଜୟ ପରେ ଏହି ମଡେଲକୁ ଲାଗୁ କରିଥିଲା ବିଜେପି । ୮୦ ଲୋକସଭା ସିଟ୍ ବିଶିଷ୍ଟ ୟୁପିରେ ଜାତିଗତ ସମୀକରଣରେ ସନ୍ତୁଳନ ରକ୍ଷା କରିବାକୁ ମଡେଲ୍ ବାଛିଥିଲା ଦଳ। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ତ କେଶବ ପ୍ରସାଦ ମୌର୍ଯ୍ୟ ଓ ଦିନେଶ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିଜ ରାଜ୍ୟ ଗୁଜରାଟରେ ଏହି ମଡେଲ୍ ଲାଗୁ କରିନି ବିଜେପି ।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାଧିକ ନାଁ ଚର୍ଚ୍ଚାରେ ରହିଥିବା ବେଳେ, ଆଦିବାସୀ ଚେହେରା ମୋହନ ମାଝୀଙ୍କ ନାଁ ଘୋଷଣା କରିଥିଲା ବିଜେପି। ତେବେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ରଖି ବରିଷ୍ଠ ନେତାଙ୍କୁ ଖୁସି କରିବା ସହ ଆଞ୍ଚଳିକ ଓ ଜାତିଗତ ସନ୍ତୁଳନ ରକ୍ଷା କରିଛି। ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ଭବିଷ୍ୟତକୁ ନଜରରେ ରଖି ସବୁ ଅଞ୍ଚଳ ଓ ବର୍ଗଙ୍କୁ ସମାନ ଗୁରୁତ୍ବ ଦେବାକୁ ଗଣିତ କଷୁଛି । ଆଉ ସେଥିପାଇଁ ଅନ୍ୟ ରାଜ୍ୟ ଭଳି ଓଡିଶାରେ ବି ଦୁଇ ଉପମୁଖ୍ୟମନ୍ତ୍ରୀ ମଡେଲ୍ ଲାଗୁ କରିଛି ।