ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି

ପୁରୀ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଆଜି ଅନେକ ନୀତିକାନ୍ତି ଥାଇ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି । ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟାରୁ ଆହୁରି ପୂର୍ବରୁ ଆରମ୍ଭ ହୋଇଯାଇଛି ପହଣ୍ଡି।

ଶ୍ରୀ ସୁଦର୍ଶନ ଧାଡ଼ି ପହଣ୍ଡିରେ ଆସି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିସାରିଛନ୍ତି। ତାଙ୍କ ପଛରେ ଝୁଲିଝୁଲି ଆସଲେଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ଅପରାହ୍ନ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। ହେଲେ ବର୍ତ୍ତମାନ ଲାଗୁଛି ତା ପୂର୍ବରୁ ଅନ୍ୟାନ୍ୟ ନୀତିକାନ୍ତି ଓ ଛେରାପହଁରା ନୀତି ସଂପନ୍ନ ହୋଇଯିବ।

ଶ୍ରୀମନ୍ଦିରର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡ । ବଡଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡଦାଣ୍ଡ, ରଥ, ପଥ ସବୁକିଛି । ଏବେ ନୀତିକାନ୍ତି ଓ ଛେରାପହଁରା ନୀତି ପାଇଁ ଅପେକ୍ଷା କରିଛନ୍ତି ଭକ୍ତ।

Leave A Reply

Your email address will not be published.