ନିଟ୍-ୟୁଜି ପେପର ଲିକ୍ ମାମଲା; ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ବୁଧବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାରେ ଅନିୟମିତତା ହେବା ପରେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ତେଣୁ ସର୍ବୋଚ୍ଚ ଅଦାଲତ ସିବିଆଇ, ପରୀକ୍ଷା ଆୟୋଜନ କରିଥିବା ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ପୂରା ଘଟଣାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି।

୧୦ ଜୁଲାଇ ଅପରାହ୍ନ ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ।

ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ପଚାରିଛନ୍ତି, ଯେଉଁମାନେ ଲିକ୍ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାହୋଇଛି କି, ସେମାନଙ୍କ ବିରୋଧରେ କଣ କାର୍ଯ୍ଯାନୁଷ୍ଠାନ ହୋଇଛି। ଯେଉଁ ପିଲା ଲିକ୍ ପ୍ରଶ୍ନପତ୍ର ପାଇଛନ୍ତି, ତାଙ୍କ ଫଳ ସ୍ଥଗିତ ରଖାଯାଇଛି କି । କେଉଁ କେଉଁ ଅଞ୍ଚଳରେ ଲିକ୍ ହୋଇଛି। ଏହି ଅବସରରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ହେବା ଗୋଟିଏ ସ୍ୱୀକାର ଜନିତ ତଥ୍ୟ। ପେପର ଲିକ ହୋଇଛି ବୋଲି ଆମକୁ ମାନିବାକୁ ପଡ଼ିବ। ତେବେ ପୁନଃ ପରୀକ୍ଷା ଶେଷ ବିକଳ୍ପ।  ଏହା ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ। ଯଦି ସଚ୍ଚୋଟ  ଉପାୟରେ ପାସ୍‌ କରିଥିବା ଶିକ୍ଷାର୍ଥୀଙ୍କୁ ଦାଗୀ ପିଲାଙ୍କ ଠାରୁ ଅଲଗା କରାଯାଇ ପାରିବ, ତା’ହେଲେ ରି-ଟେଷ୍ଟର କୌଣସି ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ତେବେ କେଉଁ ସହର ଓ ପରୀକ୍ଷା କେନ୍ଦ୍ରରେ ପେପର ଲିକ୍ ହୋଇଛି ତାହାର ସଠିକ୍ ତଥ୍ୟ ସଂଗ୍ରହ ପାଇଁ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ହୋଇଥିବା ବହୁ ଆବେଦନର ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ।

Leave A Reply

Your email address will not be published.