ପୁରୀ; କଡ଼ା ଚେତାବନୀ ସତ୍ତ୍ବେ ମଧ୍ୟ ସୁଧୁରୁନାହାଁନ୍ତି ସେବାୟତ । ବାରମ୍ବାର କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ବାହୁଡ଼ା ଯାତ୍ରାରେ ସେବାୟତମାନେ ରଥ ଉପରେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ହେବା ବେଳେ ବଡ଼ ଠାକୁରଙ୍କ ସହ ଘଟିଥିବା ଅଘଟଣ ପରେ ସେବାୟତମାନଙ୍କ ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ରଥ ଉପରକୁ କୌଣସି ସେବାୟତ ମୋବାଇଲ ନେଇ ଯାଇପାରିବେ ନାହିଁ ବୋଲି ସିଧାସଳଖ ଚେତାବନୀ ଦେଇଥିଲେ ମୁଖ୍ୟ ପ୍ରଶାସକ । ତେବେ ରଥ ଉପରକୁ ଯଦି କୌଣସି ସେବାୟତ ମୋବାଇଲ ନେଇ ଯାଆନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ଏହା ସତ୍ତ୍ୱେ ମଧ୍ୟ ଆଜି ବାହୁଡା଼ ଯାତ୍ରାରେ ସକାଳୁ ସକାଳୁ ବାରମ୍ବାର ନିୟମକୁ ଫୁ କରିବାରେ ଲାଗିଛନ୍ତି ସେବାୟତ ଗୋଷ୍ଠୀ। ପ୍ରଥମତଃ ଆଜି ସକାଳୁ ଜଣେ ଅଣସେବାୟତ ରଥ ଉପରେ ଚଢ଼ିବାର ଦେଖିବାକୁ ମିଳିଥିଲା। ଏହାପରେ ନିଜେ ମୁଖ୍ୟ ପ୍ରଶାସକ ତାଙ୍କ ହାତ ଧରି ଆଣି ତାଙ୍କୁ ତଳେ ଛାଡିଥିଲେ। ଏହାପରେ ପୁଣି ଏବେ ରଥ ଉପରେ ସେବାୟତଙ୍କ ମୋବାଇଲ ଘଟଣା ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛି।