କିଏ ଏହି ଜେଡି ଭାନ୍ସ, ଯାହାଙ୍କର ଭାରତ ସହିତ ରହିଛି ଖାସ ସମ୍ପର୍କ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କୁ ଚୟନ କରିଛନ୍ତି।

ତେବେ ଖାସ କଥା ହେଉଛି ୨୦୧୬ରେ ଜେଡି ଭାନ୍ସ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ଥିଲେ। କିନ୍ତୁ ବର୍ତ୍ତମାନ ସେ ଟ୍ରମ୍ପଙ୍କ ସବୁଠାରୁ ବଡ ସମର୍ଥକଙ୍କ ମଧ୍ୟରୁ ଜଣେ। ଅଗଷ୍ଟ ୨, ୧୯୮୪ରେ ଓହିଓର ମିଡଲଟାଉନରେ ଜନ୍ମ ହୋଇଥିଲେ ଜେଡି ଭାନ୍ସ।

ବ୍ୟକ୍ତିଗତ ଭାବେ ଜେଡି ଭାନ୍ସଙ୍କର ଭାରତ ସହିତ ଏକ ବିଶେଷ ସମ୍ପର୍କ ରହିଛି। ତାଙ୍କ ପତ୍ନୀ ଉଷା ଚିଲୁକୁରି ଭାନ୍ସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ଉଷାଙ୍କ ପରିବାର ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ହୋଇଥିଲା ବେଳେ ସେମାନେ କାଲିଫର୍ଣ୍ଣିଆର ସେନ ଡିଏଗୋରେ ଅବସ୍ଥାନ କରିଆସୁଛନ୍ତି।

କାଲିଫର୍ଣ୍ଣିଆରେ ଜନ୍ମିତ ଉଷା ଏକ ଜାତୀୟ ଆଇନ ସଂସ୍ଥାର ଓକିଲ। ୟେଲ ଲ ସ୍କୁଲରେ ପାଠ ପଢିବା ବେଳେ ଉଷା ଏବଂ ଭାନ୍ସଙ୍କର ପ୍ରଥମ ସାକ୍ଷାତ ହୋଇଥିଲେ। ସ୍ନାତକ ପରେ ୨୦୧୪ରେ ଦୁହେଁ ବିବାହ କରିଥିଲେ।

ଭାନ୍ସ ପୂର୍ବରୁ ଆମେରିକାର ମେରାଇନ୍ କୋରରେ ଭର୍ତ୍ତି ହୋଇଥିଲେ, ଏବଂ ପରବର୍ତ୍ତୀ ସମୟରେ ଇରାକ ଯୁଦ୍ଧରେ ସାମିଲ ହୋଇଥିଲେ। ଭାନ୍ସ ୟେଲ ଲ’ ସ୍କୁଲରୁ ସ୍ନାତକ ହାସଲ କରିଛନ୍ତି। ସେ ୟେଲ ଲ’ ଜର୍ଣ୍ଣାଲର ସମ୍ପାଦକ ମଧ୍ୟ ରହିଥିଲେ।

୩୯ ବର୍ଷିୟ ଜେଡି ଭାନ୍ସଙ୍କ ପୁସ୍ତକ ‘ହିଲବିଲି ଏଲିଜି’ ପ୍ରକାଶ ପାଇବା ପରେ ୨୦୧୬ରେ ଚର୍ଚ୍ଚାକୁ ଆସିଥିଲେ। ଜେଡି ଭାନ୍ସଙ୍କ ପୁସ୍ତକ ଆମେରିକାବାସୀଙ୍କୁ ଖୁବ୍ ପସନ୍ଦ ଆସିଥିଲା। ପୁସ୍ତକର ବହୁଳ ବିକ୍ରୀ ମଧ୍ଯ ହୋଇଥିଲା।

ଏହି ପୁସ୍ତକରେ ସେ ମିଡଲଟାଉନରେ ରହୁଥିବା ଶ୍ୱେତ ଶ୍ରମିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରିଥିଲେ।
ଜେଡି ଭାନ୍ସ ୨୦୨୧ମସିହାରେ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ୨୦୨୨ ମସିହାରେ ଓହିଓରୁ ରିପବ୍ଲିକାନ୍ ପାର୍ଟିରୁ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.