ନୂଆଦିଲ୍ଲୀ: କରୋନା ଯୋଗୁଁ କ୍ରୀଡ଼ା ପ୍ରତିଯୋଗିତା ସବୁ ଚଳିତ ବର୍ଷ ମାର୍ଚ ମାସରୁ ବନ୍ଦ ରହିଛି। ହେଲେ ଏବେ ବିଦେଶରେ କିଛି ଫୁଟ୍ବଲ୍ ଲିଗ୍ ଆରମ୍ଭ ହେଲାଣି। ଏହାକୁ ଦେଖି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ଲାଗି ବିସିସିଆଇ ଓ ଫ୍ରାଞ୍ଚାଇଜ୍ଗୁଡ଼ିକ ଆଗ୍ରହ ଦେଖାଇଛନ୍ତି। ଅକ୍ଟୋବର-ନଭେମ୍ବରରେ ଏହି ଲିଗ୍କୁ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଯଦି ସବୁ ଠିକ୍ ଠାକ୍ ଚାଲେ ତେବେ କରୋନା ମହାମାରୀ ପରେ ଆୟୋଜିତ ହେବାରେ ଆଇପିଏଲ୍ ଭାରତର ପ୍ରଥମ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାର ଗୌରବ ବହନ କରିବ। ଏହାକୁ ବନ୍ଦ ଦ୍ବାର ପଛରେ କରିବାକୁ ବିସିସିଆଇ ଅଧିକାରୀ ଓ ଫ୍ରାଞ୍ଚାଇଜ୍ଗୁଡ଼ିକ ୱେବ୍ନର ଓ ଭିଡିଓ ବୈଠକରେ ଆଲୋଚନା କରିଥିବା ସୂଚନା ମିଳିଛି।
ଆଇପିଏଲ୍ ଆୟୋଜନ କରିବା ଲାଗି ଗୁଡ଼ିଏ ଯୋଜନା କରିବାକୁ ହେବ। କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଆପଣମାନେ ଖେଳ ଦେଖିପାରିବେ। କିନ୍ତୁ କରୋନା ପରିସ୍ଥିତି ଯାହା ରହିଛି ମୁମ୍ବାଇରେ ଏହା ସମ୍ଭବ ହୋଇନପାରେ। ମୁମ୍ବାଇରେ ୪ ଏବଂ ଏହାର ନିକଟବର୍ତୀ ପୁଣେରେ ଗୋଟିଏ ଭଲ ଷ୍ଟାଡିୟମ ରହିଛି। ଏଥିସହ ଏହି ଷ୍ଟାଡିୟମ ନିକଟରେ ମଧ୍ୟ ଦଳ ରହିଲା ଭଳି ହୋଟେଲ ରହିଛି। ସାମାଜିକ ଦୂରତା ପାଇଁ ଖେଳାଳିମାନଙ୍କୁ ଗୋଟିଏ ଗୋଟିଏ ରୁମ୍ ବ୍ୟବଧାନରେ ରଖିବାକୁ ପଡ଼ିବ। ବ୍ୟକ୍ତିଗତ ଭାବେ ଟାୱେଲ୍ ଓ ପାଣି ବୋତଲ ନିଜ ପାଖରେ ରଖିବାକୁ ପଡ଼ିବ। ଯାହା ହେଲେ ବି ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଯେଭଳି ରହିଛି ସେଠାରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରିବା ସହଜ ହେବନି ବୋଲି ଦୁଇ ଥରର ଆଇପିଏଲ୍ ବିଜେତା କୋଲ୍କାତା ନାଇଟ୍ ରାଇଡର୍ସର ସିଇଓ ଭେଙ୍କି ମହୀସୂର କହିଛନ୍ତି।
Comments are closed.