ନୂଆଦିଲ୍ଲୀ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ l ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି l ଚର୍ଚ୍ଚିତ ଚଳଚ୍ଚିତ୍ର ‘କାନ୍ତାରା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ରିଷବ ଶେଟ୍ଟୀ ପାଇଛନ୍ତି ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ପୁରସ୍କାର l ଅପରପକ୍ଷେ ‘ତିରୁଚିତ୍ରାମ୍ବଲମ’ ପାଇଁ ନିତ୍ୟା ମେନନ୍ ଓ ‘କଚ୍ଛ ଏକ୍ସପ୍ରେସ୍’ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବିବେଚିତ ହୋଇଛନ୍ତି।
ସେହିପରି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀକୁ ପରଦାରେ ପ୍ରଦର୍ଶିତ କରାଯାଇଥିଲା। ଅଭିନେତା ବାବୁ ଶାନ୍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିସହ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଶର୍ମିଲା ଟାଗୋର ଓ ମନୋଜ ବାଜପେୟୀଙ୍କ ‘ଗୁଲମୋହର’କୁ ମନୋନୀତ କରାଯାଇଛି। ସେହିପରି ଅଭିନେତା ୟଶଙ୍କ ‘କେଜିଏଫ-୨’ ହେଉଛି ସର୍ବଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର। ୭୦ତମ ଜାତୀୟ ଫିଲ୍ମ ପୁରସ୍କାରରେ ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ପାଇଁ ଆନନ୍ଦ ଏକାର୍ସିଙ୍କୁ ଶ୍ରେଷ୍ଠ ସ୍କ୍ରିନ ରାଇଟର୍ ପୁରସ୍କାର ମିଳିଛି। ସେହିପରି ‘ଉଞ୍ଚାଇ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ସୁରଜ ବଡଜାତ୍ୟ। ‘ଭାଲଭି’ ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ହିନ୍ଦୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ପାଇଁ ପ୍ରୀତମ ଶ୍ରେଷ୍ଠ ସଂଗୀତ ପୁରସ୍କାର ଲାଭ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୧ ଜାନୁଆରୀରୁ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସେନ୍ସର ବୋର୍ଡ ଦ୍ୱାରା ପ୍ରମାଣିତ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାର ନାମ ଘୋଷଣା କରିଛି।