ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୂର୍ତ୍ତି ଗଢ଼ା କାମ ଜୋରସୋରରେ ଚାଲିଛି। ଏହାରି ମଧ୍ଯରେ ଗଣେଶ ପୂଜାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ପୂଜା କମିଟି ସହ ବିସ୍ତୃତ ଆଲୋଚନା ହୋଇଛି ଏବଂ ସେମାନଙ୍କ ସମସ୍ୟାର ସମାଧାନ କରାଯାଇଛି।
ସେପ୍ଟେମ୍ବର ୮, ୧୧ ଏବଂ ୧୫ରେ ଅନୁଷ୍ଠିତ ହେବାକୁ ଥିବା ଭସାଣି ଶୋଭାଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି। ଶୋଭାଯାତ୍ରା ସମୟରେ ଡିଜେ ବଦଳରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶୋଭାଯାତ୍ରା ସମୟରେ ସହରର ଟ୍ରାଫିକ୍ ବ୍ୟବସ୍ଥା ଯେଭଳି ପ୍ରଭାବିତ ନହୁଏ, ସେନେଇ କମିଟି ଗୁଡିକ ସୁନିଶ୍ଚିତ କରିବେ ବୋଲି ସେ କହିଛନ୍ତି।
ଏହା ବ୍ୟତୀତ ପୂଜା କମିଟି ସହିତ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସିସିଟିଭି କ୍ୟାମେରା ଏବଂ ସ୍ୱେଚ୍ଛାସେବୀ ନିୟୋଜନ ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି।