‘ଛାଭା’ ଟିଜର ଆଉଟ: ନୂଆ ରୂପରେ ବିକି କୌଶଲ, ଏହି ଦିନ ପରଦାକୁ ଆସିବ ଫିଲ୍ମ

ମୁମ୍ବାଇ: ଅଗଷ୍ଟ ୧୫ ରେ ଚଳଚ୍ଚିତ୍ର ‘ଛାଭା’ରେ ବିକି କୌଶଲଙ୍କର ପ୍ରଥମ ପୋଷ୍ଟର ଏବଂ ପ୍ରଥମ ଲୁକ ରିଲିଜ୍ ହୋଇଥିଲା। ଏହା ପରେ ଆଜି ତାଙ୍କର ସମ୍ପୂର୍ଣ୍ଣ ଲୁକ୍ ଏବଂ ଟିଜର ରିଲିଜ ହୋଇଛି। ବଲିଉଡ ଅଭିନେତା ବିକି କୌଶଲ ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ । ବର୍ତ୍ତମାନ ଅଭିନେତା ‘ଛାଭା’ ସହ ଫେରୁଥିବା ବେଳେ ଏହାର ଟିଜର ରିଲିଜ ହୋଇଛି । ଯେଉଁଥିରେ ବିକିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି ।

ଏହା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି। ରାକ୍ଷୀ ପୂର୍ଣ୍ଣିମୀ ତଥା ଅଗଷ୍ଟ ୧୯ ଅବସରରେ ନିର୍ମାତାମାନେ ୟୁଟ୍ୟୁବରେ ଟିଜର ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ବିକି କୌଶଲ ଏକ ଯୋଦ୍ଧା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଛନ୍ତି। ଟିଜର ଦେଖି ଫ୍ୟାନ୍ସ ଏହାକୁ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

‘ଛାଭା’ ଟିଜର ପ୍ରେକ୍ଷାଳୟରେ ‘ସ୍ତ୍ରୀ ୨’ ସହିତ ଯୋଡି ହୋଇଥିଲା, ଯେଉଁଠାରେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଫିଲ୍ମ ଟିଜର ଦେଖାଯାଇଥିଲା। ଅନ୍ୟପଟେ କ୍ୟାଟ୍ରିନା କୈଫ୍ ତାଙ୍କ ଇନଷ୍ଟା ଷ୍ଟୋରୀରେ ‘ଛାଭା’ ଫିଲ୍ମର ଟିଜର ସେୟାର କରିଛନ୍ତି ଏବଂ ଏହାକୁ ଖୁବ ପ୍ରଶଂସା କରିଛନ୍ତି । ଏହି ଫିଲ୍ମ ଡିସେମ୍ୱର ୬ ତାରିଖରେ ରିଲିଜ ହେବ । ‘ଛାବା’କୁ ଲକ୍ଷ୍ମଣ ଉତ୍ତେକର ନିର୍ଦ୍ଦେଶନା ଦେଇଛନ୍ତି, ଯିଏକି ବିକି କୌଶଲଙ୍କ ସହ ଫିଲ୍ମ ‘ଜରା ହଟକେ ଜରା ବଚକେ’ ନିର୍ଦ୍ଦେଶନା ଦେଇଥିଲେ । ଏଥିସହ ଏହି ଫିଲ୍ମରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବିକିଙ୍କ ସହ ନଜର ଆସିବେ ।

Leave A Reply

Your email address will not be published.