ପୁରୀ: ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରତିକାର ପୂଜା ବିଧି ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା କଥାବାର୍ତ୍ତା ହୋଇଛୁ, ସେମାନେ ଖୁବଶୀଘ୍ର ସମୟ ନିର୍ଘଣ୍ଟ ବାହାର କରିବେ ବୋଲି କହିଛନ୍ତି ମନ୍ତ୍ରୀ । ଯାହା ଘଟିଲା ତାହା ଏକ ଦୁର୍ଘଟଣା ଥିଲା । ବଡ଼ ଠାକୁର ପଡ଼ିନାହାନ୍ତି କେବଳ ସେବାୟତଙ୍କ ପିଠିରେ ଭରା ଦେଇ ଅଛନ୍ତି । ଅଘଟଣ ଦିନ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିଲା । ଏନେଇ ତଦନ୍ତ ହୋଇସାରିଛି । ତେବେ ଅବହେଳା କାରଣରୁ ଏପରି ଅଘଟଣ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପ ବିଜେ ସମୟରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ଘଟିଥିଲା । ରଥରୁ ଓହ୍ଲାଇବା ବେଳେ ଚାରମାଳ ଉପରୁ ଆଗକୁ ଝୁଙ୍କି ଖସିଯାଇଥିଲେ ବଳଭଦ୍ର । ଘଟଣାରେ କିଛି ସେବାୟତ ଆହତ ହୋଇଥିଲେ ।