ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଲିନ୍ସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

କନ୍ଧମାଳ: ରବିବାର କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ, ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଝିଅ ଲିନ୍ସା ପ୍ରଧାନଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

 

ଜୀବନର ଅନେକ ସମସ୍ୟା ଭିତରେ ସଂଘର୍ଷର ସିଢ଼ି ଚଢ଼ି ବିନା କୌଣସି ପ୍ରାଇଭେଟ୍ କୋଚିଂ ସେଣ୍ଟରର ସାହାରାରେ କେବଳ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଲିନ୍ସା ଦେଖାଇ ଦେଇଛନ୍ତି ଯେ ନିଷ୍ଠାର ସହ କରିଥିବା ପରିଶ୍ରମ କେବେ ବ୍ୟର୍ଥ ଯାଏନି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଲକ୍ଷ ହାସଲରେ ପଛରେ ପଡ଼ିନଥିବା ଲିନ୍ସା ଅନେକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଆଗାମୀ ଦିନରେ ଏମକେସିଜିରେ ଡାକ୍ତରୀ ପାଠ ପଢିବାକୁ ଯାଉଥିବା ଲିନ୍ସାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ମଂଡବାଡ଼ି ୟୁ.ପି ସ୍କୁଲରେ ଗଣଶିକ୍ଷକ ରୂପେ କାର୍ଯ୍ୟରତ ପିତା ଲିନ୍ସା ପ୍ରଧାନ ଏବଂ ଅଙ୍ଗନବାଡି କର୍ମୀ ମାତା ରୀନା ପ୍ରଧାନ ଆର୍ଥିକ ଅଭାବ ସତ୍ୱେ ଝିଅକୁ ଭବିଷ୍ୟତ ପାଇଁ ବଡ଼ ସ୍ବପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ଶ୍ରୀମତି ପରିଡ଼ା।

 

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ଲିନ୍ସା ତାଙ୍କର ଯୁକ୍ତ ଦୁଇ ସାର୍ଟିଫିକେଟ ହଜି ଯାଇଥିବା ଏବଂ ସେ ସାର୍ଟିଫିକେଟ ପାଇଁ ବୋର୍ଡ ଅଫିସରେ ପୁଣିଥରେ ଆବେଦନ କରିବା କଥା ଜଣାଇଥିଲେ । ଏକ ମାସ ମଧ୍ୟରେ ଏମକେସିଜିରେ ଲିନ୍ସାଙ୍କ ଆଡ଼ମିସନ୍ ଥିବାରୁ ତାଙ୍କ ସମସ୍ୟାର ଗଭୀରତାକୁ ବୁଝିବା ସହ ଯୁକ୍ତ ଦୁଇ ସାର୍ଟିଫିକେଟ କିପରି ଶୀଘ୍ର ମିଳିପାରିବ ତା’ର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.