ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନସ ଟ୍ରଫିରେ ଭାରତର ପୁଣି ପ୍ରାଧାନ୍ୟ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଫାଇନାଲରେ ଆୟୋଜକ ଚୀନକୁ ମାତ୍ ଦେଇ ହାସଲ କରିଛି ପଂଚମ ଟାଇଟଲ୍ । ପ୍ୟାରିସ ଅଲିମ୍ପିକ୍ସ ହକିରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଲା ପରେ ଭାରତୀୟ ହକି ଦଳର ଏସିଆନ ଚାମ୍ପିଅନସ ଟ୍ରଫି ବିଜୟ ଦେଶର କ୍ରୀଡାପ୍ରେମୀଙ୍କୁ ଉଲ୍ଲସିତ କରିଛି । ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଂଟ ହୋଇଛନ୍ତି ।
ଏସିଆନ ଚାମ୍ପିଅନସ ଟ୍ର୍ରଫିରେ ଭାରତକୁ ପଂଚମ ଟାଇଟଲ
ପ୍ୟାରିସ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳ ପାଇଁ ଆଉ ଏକ ସଫଳତା । ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଟାଇଟଲ ଜିତିଛି ଭାରତୀୟ ଦଳ । ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଆୟୋଜକ ଚୀନକୁ ଏକମାତ୍ର ଗୋଲରେ ହରାଇ ପଂଚମ ଥର ପାଇଁ ଏସିଆନ ଚାମ୍ପିଅନସ ଟ୍ରଫି ହାସଲ କରିଛି ଭାରତ । ଭାରତ ପକ୍ଷରୁ ବିଜୟ ସୂଚକ ଗୋଲ୍ ସ୍କୋର କରିଥିଲେ ଯୁଗରାଜ ସିଂହ । ମ୍ୟାଚର ୫୧ତମ ମିନିଟରେ ଯୁଗରାଜଙ୍କ ଫିଲ୍ଡ ଗୋଲ୍ ଭାରତକୁ ଦେଇଛି ରେକର୍ଡ ପଂଚମ ଟାଇଟଲ୍ । ଏଥର ଟୁର୍ଣ୍ଣାମେଂଟର ଲିଗ୍ ମ୍ୟାଚରେ ମଧ୍ୟ ଚୀନକୁ ହରାଇଥିଲା ଭାରତ । ଗତ ସଂସ୍କରଣରେ ବି ଚାମ୍ପିଅନ ହୋଇଥିଲା ଭାରତ ।
ଅପରାଜେୟ ରହି ଚାମ୍ପିଅନ
ଟୁର୍ଣ୍ଣାମେଂଟରେ ସବୁଠୁ ସଫଳ ଦଳ
୨୦୧୧ ମସିହାରେ ଖେଳାଯାଇଥିଲା ଏସିଆନ ଚାମ୍ପିଅନସ ଟ୍ରଫିର ପ୍ରଥମ ସଂସ୍କରଣ । ଉଦଘାଟନୀ ସଂସ୍କରଣରେ ହିଁ ଭାରତ ହୋଇଥିଲା ଚାମ୍ପିଅନ । ୨୦୧୬, ୨୦୧୮, ୨୦୨୩ ସଂସ୍କରଣରେ ମଧ୍ୟ ଭାରତ ଟାଇଟଲ ହାସଲ କରିଛି । ୨୦୧୮ରେ ପାକିସ୍ତାନ ସହ ଯୁଗ୍ମ ବିଜେତା ହୋଇଥିଲା ଭାରତ । ୨୦୧୨ରେ ରନର ଅପ୍ ହୋଇଥିଲା ଭାରତୀୟ ହକି ଦଳ ।
ଏସୀୟ ହକିରେ ଭାରତର ପ୍ରାଧାନ୍ୟ
ଭାରତ ଗତ ହୁଆଙ୍ଗଝୁ ଏସିଆନ ଗେମ୍ସ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହା ପରେ ପ୍ୟାରିସ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ଓ ଏବେ ପୁଣି ଏସିଆନ ଚାମ୍ପିଅନସ ଟ୍ରଫିରେ ଟାଇଟଲ୍ ହାସଲ କରିଛି । ଏସୀୟ ହକିରେ ବେଶ୍ କିଛି ବର୍ଷ ଧରି ବଜାୟ ରହିଛି ଭାରତୀୟ ହକିର ପ୍ରାଧାନ୍ୟ ।