ଯୁବଶକ୍ତିଙ୍କ ଶକ୍ତି ଓ ସୃଜନଶୀଳତା ଭାରତକୁ ନୂଆ ଉଚ୍ଚତାକୁ ନେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବୋଡୋଲ୍ୟାଣ୍ଡ୍ ମହୋତ୍ସବ ଏବଂ ହରିୟାଣାରେ ବିବିଭା-୨୦୨୪ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

• ଜାତୀୟ ଶିକ୍ଷା ନୀତି ଆମ ଯୁବପିଢ଼ିଙ୍କୁ ଭାରତୀୟ ମୂଲ୍ୟବୋଧ ସହ ଯୋଡ଼ିବ
• ବୋଡୋଲ୍ୟାଣ୍ଡ ମହୋତ୍ସବ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଅନ୍ୟତମ ପ୍ରତୀକ
• ବୋଡ଼ୋଲ୍ୟାଣ୍ଡ ଆମ ସଭ୍ୟତାର ଶକ୍ତି, ଅନନ୍ୟ ସଂସ୍କୃତି ଏବଂ ଜ୍ଞାନ ପରମ୍ପରାର ପ୍ରତିଚ୍ଛବି

ହାଇଦ୍ରାବାଦ, ନଭେମ୍ବର ୧୫ – ବିକଶିତ ଭାରତ ଗଠନରେ ଭାରତର ଯୁବକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଶକ୍ତି ଏବଂ ସୃଜନଶୀଳତା ଭାରତକୁ ନୂତନ ଉଚ୍ଚତାକୁ ନେବାର ସାମର୍ଥ୍ୟ ରଖିଛି ବୋଲି ଶନିବାର ନୂଆଦିଲ୍ଲୀରେ ଆୟୋଜିତ ବୋଡୋଲ୍ୟାଣ୍ଡ୍ ମହୋତ୍ସବ ଏବଂ ହରିୟାଣା ଗୁରୁଗ୍ରାମ ସ୍ଥିତ ଏସଜିଟି ବିଶ୍ୱବିଦ୍ୟାଳୟରେ ଆୟୋଜିତ ପୃଥକ କାର୍ଯ୍ୟକ୍ରମ “ବିବିଭା ୨୦୨୪”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଯୁବପିଢ଼ିଙ୍କ ମଧ୍ୟରେ ଗବେଷଣାର ଜାଗରଣ ସୃଷ୍ଟି କରିବା ପାଇଁ ଭାରତୀୟ ଶିକ୍ଷଣ ମଣ୍ଡଳର ଯୁବକମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଯୁବପିଢ଼ି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅଂଶଗ୍ରହଣ ଦ୍ୱାରା ଦେଶକୁ ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱ ନେତୃତ୍ୱ ଆଡକୁ ନେଇପାରିବେ । ଜାତୀୟ ଶିକ୍ଷା ନୀତି – ୨୦୨୦ ଏ ଦିଗରେ ଏକ ଐତିହାସିକ ପଦକ୍ଷେପ । ଏହି ନୀତି ମାଧ୍ୟମରେ ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା ଯଥା ଯୋଗ, ବ୍ୟବହାରିକ ଜ୍ଞାନ ଏବଂ ନୈତିକ ଶିକ୍ଷାକୁ ପୁନରୁଦ୍ଧାର କରାଯାଉଛି । ଏହି ନୀତି କେବଳ ଆଧୁନିକ ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଯୁବପିଢ଼ିଙ୍କୁ ଭାରତୀୟ ମୂଲ୍ୟବୋଧ ଏବଂ ବିଚାର ସହିତ ଯୋଡ଼ିବ । “ବିବିଭା ୨୦୨୪” ଭଳି କାର୍ଯ୍ୟକ୍ରମ ଦେଶ ନିର୍ମାଣର ଏହି ମିଶନରେ ଯୁବକମାନଙ୍କୁ ଅନୁପ୍ରାଣିତ କରିବା ସହ ପ୍ରୋତ୍ସାହିତ କରିବ । ଏହି କାର୍ଯ୍ୟକ୍ରମ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ ଏବଂ ନବସୃଜନ ଓ ଗବେଷଣା କ୍ଷେତ୍ରରେ ଆମର ଯୁବବର୍ଗଙ୍କୁ ଆଗେଇବା ଦିଗରେ ଏକ ମାଧ୍ୟମ ହେବ ।

ସେହିପରି ନୂଆଦିଲ୍ଲୀରେ ଆୟୋଜିତ ବୋଡୋଲ୍ୟାଣ୍ଡ୍ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋଡୋଲ୍ୟାଣ୍ଡ ଅଞ୍ଚଳର ସଂସ୍କୃତି, ଐତିହ୍ୟ, ଇତିହାସ ଏବଂ ଭାଷାର ଏହି ଅନନ୍ୟ ଉତ୍ସବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜନ ହେବା ଖୁସିର ବିଷୟ । ବୋଡୋଲ୍ୟାଣ୍ଡ ମହୋତ୍ସବ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଅନ୍ୟତମ ପ୍ରତୀକ । ବୋଡ଼ୋଲ୍ୟାଣ୍ଡ ଆମ ସଭ୍ୟତାର ଶକ୍ତି, ଅନନ୍ୟ ସଂସ୍କୃତି ଏବଂ ଜ୍ଞାନ ପରମ୍ପରାର ପ୍ରତୀକ ଭାବରେ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ବୋଡୋଲାଣ୍ଡ ଅଞ୍ଚଳର ସାମଗ୍ରିକ ଏବଂ ସର୍ବାଙ୍ଗୀନ ବିକାଶ ଏକ ସର୍ବୋଚ୍ଚ ପ୍ରାଥମିକତା ରହିଛି । ବୋଡ଼ୋ ଭାଷାକୁ ପ୍ରୋତ୍ସାହିତ କରିବା ଏବଂ ଲୋକପ୍ରିୟ କରିବା ସହିତ ବିଟିଆରର ବୋଡୋ ଛାତ୍ରଛାତ୍ରୀ ଏବଂ ଆଦିବାସୀ ସମ୍ପ୍ରଦାୟର ଲାଭ ପାଇଁ ଏହାକୁ ଶିକ୍ଷାର ମାଧ୍ୟମ କରିବା ମଧ୍ୟ ଏକ ପ୍ରତିଶ୍ରୁତି । ବିଟିଆରର ବିକାଶ ଏବଂ ବୋଡ଼ୋ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଆମେ ଏକାଠି କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.