ନୂଆଦିଲ୍ଲୀ: କେରଳ ଓ୍ବାଏନାଡରୁ ବମ୍ପର ବିଜୟ ପରେ ଲୋକସଭାରେ ପ୍ରିୟଙ୍କା ଗାନ୍ଧୀଙ୍କ ଡେବ୍ୟୁ । ହାତରେ ସମ୍ବିଧାନ ପୁସ୍ତକ ଓ ଧଳା ରଙ୍ଗର କେରଳୀ କସାବୁ ସାଢୀ ପିନ୍ଧି ସଂସଦରେ ଶପଥ ଗ୍ରହଣ କରିଛନ୍ତି ପ୍ରିୟଙ୍କା । ତାଙ୍କ ଏଣ୍ଟ୍ରି ସହ ସଂସଦରେ ଗାନ୍ଧୀ ପରିବାରର ସଦସ୍ୟ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ୧୯୯୯ରେ ମାଆଙ୍କ ପାଇଁ ପ୍ରଚାର କରିବାଠୁ ଆରମ୍ଭ କରି କେରଳ ଓ୍ବାଏନାଡରୁ ସାଂସଦ ଭାବେ ଶପଥ ଗ୍ରହଣ, ପ୍ରିୟଙ୍କାଙ୍କ ପାଖରେ ଦୁଇ ଦଶନ୍ଧୀରୁ ଅଧିକ ସମୟର ରାଜନୈତିକ ଅଭିଜ୍ଞତା । କେତେବେଳେ ଦଳ ପାଇଁ ସଂକଟମୋଚକ ସାଜିଛନ୍ତି ତ କେତେବେଳେ ଆଶ୍ଚର୍ଯ୍ୟଜନକ ବିଜୟ ଆଣିଛନ୍ତି ପୁଣି କେବେ ବଡ ପରାଜୟର ସାମନା କରିଛନ୍ତି । ପ୍ରିୟଙ୍କା ନିର୍ବାଚନ ରାଜନୀତିକୁ ଆସିବାରେ ବିଳମ୍ବ ହୋଇଛି ସତ ହେଲେ ସାଂସଦ ଭାବେ ପ୍ରିୟଙ୍କାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ସହ ସୁଯୋଗ ବି ରହିଛି ।
ଭଲ ବକ୍ତା…ଇନ୍ଦିରା ଫ୍ୟାକ୍ଟର
କଂଗ୍ରେସରେ ସଂକଟ ବେଳେ ଜଣେ ଭଲ ରଣନୀତିକାର ଭୂମିକାରେ ସଫଳ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ସଂସଦରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଗତିରୋଧ ବେଳେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ନେତୃତ୍ବ ନେଇପାରନ୍ତି। ଜଣେ ଭଲ ବକ୍ତା ଭାବେ ଜଣାଶୁଣା ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ସ୍ବରକୁ ଲୋକସଭାରେ ଆହୁରି ସୁଦୃଢ କରିବେ । ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରିୟଙ୍କାଙ୍କ ଭଲ ଦଖଲ ରହିଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦଳର ସ୍ବରକୁ ସାରା ଦେଶରେ ପହଞ୍ଚାଇବାରେ ମାଧ୍ୟମ ହୋଇପାରିବେ ପ୍ରିୟଙ୍କା । ତାଙ୍କ ବ୍ୟକ୍ତିତ୍ବ କେବଳ କଂଗ୍ରେସ ନୁହେଁ ମେଣ୍ଟ ସହଯୋଗୀଙ୍କୁ ବି ଏକାଠି ଆଣିବାରେ ସହଯୋଗ କରିବ । ଅନେକ ସମୟରେ ପ୍ରିୟଙ୍କାଙ୍କୁ ତାଙ୍କ ଜେଜେମାଆ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରାଯାଏ । ଇନ୍ଦିରା ଫ୍ୟାକ୍ଟରକୁ ନେଇ ପ୍ରିୟଙ୍କାଙ୍କଠାରୁ ଅଧିକ ଆଶା ରହିଛି । ତେଣୁ ସୁଯୋଗ ମିଳିଲେ ରାଜନୈତିକ ପକଡ ସୁଦୃଢ କରିପାରନ୍ତି ପ୍ରିୟଙ୍କା ।