ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ମହୋତ୍ସବର ଉଦଯାପନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ବିଶ୍ୱ ସମସ୍ୟାର ସମାଧାନର ପ୍ରୟୋଗଶାଳା ଓଡ଼ିଆ ଭାଷା ସାହିତ୍ୟରେ ଅଛି – ଧର୍ମେନ୍ଦ୍ର ପ୍ରଧାନ

• ଗଣକବି ବୈଷ୍ଣବ ପାଣିଙ୍କ ଆତ୍ମ କାହାଣୀର ଓଡ଼ିଆ ଓ ଇଂରାଜୀ ଅନୁବାଦ ପୁସ୍ତକ ଲୋକାର୍ପିତ
• ମଞ୍ଚସ୍ଥ ଗଣକବିଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ଗୀତିନାଟ୍ୟ “ମହାଲକ୍ଷ୍ମୀ ପୂଜା” ଦେଖିଲେ
• ଓଡ଼ିଆ ମହାପୁରୁଷଙ୍କ ସ୍ମୃତିଚାରଣ କଲେ ମୋ ଭଳି ସାଧାରଣ ଲୋକଙ୍କ ମନରେ ବହୁତ ଉତ୍ସାହ ବଢେ
• ସନ୍ଥ କବି ଭୀମ ଭୋଇଙ୍କ ବାଣୀ, ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ, ମାଣବସା ଗୁରୁବାରର ସ୍ୱଚ୍ଛତା ବାର୍ତ୍ତା, କାଞ୍ଚି ସହ ଓଡିଶାର ସମ୍ପର୍କ, କଳିଙ୍ଗ ଯୁଦ୍ଧର କଥା କହିଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାର ଲୋକମାନଙ୍କର ଚିନ୍ତାଧାରା ବ୍ୟାପକ ଓ ବିଶାଳ
• ଓଡ଼ିଆ ଜନଜୀବନରେ ବୈଷ୍ଣବ ପାଣିଙ୍କ ଦୁର୍ମୂଃଲ୍ୟ ବିଚାର ଯୁଗ ଯୁଗ ଧରି ସମସ୍ତଙ୍କୁ ପ୍ରେରିତ କରିବ

ଭୁବନେଶ୍ୱର, ନଭେମ୍ବର ୩୦ – ୨୦୩୬ ସୁଦ୍ଧା ଓଡ଼ିଶାକୁ ପୃଥିବୀର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି । ତାଙ୍କ ଆହ୍ୱାନ କ୍ରମେ ଆମେ ସମସ୍ତେ ନିର୍ଦ୍ଧାରିତ ସମୟ ସୁଦ୍ଧା ଗଣକବି ବୈଷ୍ଣବ ପାଣି ଏବଂ ଓଡ଼ିଶାର ମହାପୁରୁଷଙ୍କ ବିଚାର ଆଧାରରେ଼ ଓଡ଼ିଆ, ଭାଷା, ସଂସ୍କୃତି ତଥା ଓଡ଼ିଆ ଜାତିର ପୁନଃପରିଚୟ ତିଆରି କରିବା ପାଇଁ ଏକାଠି ହେବା । ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୂରଣ କରୁଥିବା ବେଳେ କିପରି ଆମ ରାଜ୍ୟ ବିଶ୍ୱ ମାନଚିତ୍ରରେ ପ୍ରତିଷ୍ଠିତ ହେବ ସେଥିପାଇଁ ସାମୂହିକ ଉଦ୍ୟମ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ବିଶ୍ୱ ସମସ୍ୟାର ସମାଧାନର ପ୍ରୟୋଗଶାଳା ଓଡ଼ିଆ ଭାଷା ସାହିତ୍ୟରେ ଅଛି ବୋଲି ସେ କହିଛନ୍ତି ।

ଶନିବାର ଭୁବନେଶ୍ୱର ଠାରେ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଐତିହାସିକ ଜୟନ୍ତୀ ମହୋତ୍ସବର ଉଦଯାପନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଉ ପ୍ରାୟ ୧୨ ବର୍ଷ ପରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶା ଶହେ ବର୍ଷ ପୂରଣ କରିବ । ଏହି ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଆବାଳବୃଦ୍ଧବନିତାଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଆଗାମୀ ୧୨ ବର୍ଷ ସବୁ ଓଡ଼ିଆଙ୍କ ପାଇଁ ଏକ ସୁବର୍ଣ୍ଣ ଅବସର । ତେଣୁ ଓଡ଼ିଆ, ଭାଷା, ସଂସ୍କୃତି ଓ ଜାତିର ପୁନଃ ପରିଚୟ ତଥା ଜବଜାଗରଣ ସୃଷ୍ଟି କରିବା ପାଇଁ ଏକାଠି ହେବାକୁ ଓଡ଼ିଆ ସମାଜକୁ ସେ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ ‘ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ’ ଗଣକବି ବୈଷ୍ଣବ ପାଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ଯେ ଓଡ଼ିଆ ମହାପୁରୁଷଙ୍କ ସ୍ମୃତିଚାରଣ କରାଗଲେ ମୋ ଭଳି ସାଧାରଣ ଲୋକଙ୍କ ମନରେ ବହୁତ ଉତ୍ସାହ ବଢିଥାଏ । ମାହାଙ୍ଗା ମାଟିର ସୁପୁତ୍ର ତଥା ଗଣମାନସର କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପରିଷଦ ପକ୍ଷରୁ ୧୪ ଦିନ ବ୍ୟାପୀ ଐତିହାସିକ ଜୟନ୍ତୀ ସମାରୋହ ଆୟୋଜନ ହେବା ପ୍ରଶଂସନୀୟ । ଗଣକବି ତାଙ୍କ ଗୀତିନାଟ୍ୟରେ ରାମାୟଣ, ମହାଭାରତ, ଗଣ ଜୀବନର କଥା କହିଛନ୍ତି । ଜାତି-ଅଜାତିର କଥା ସହ ଧର୍ମ ଓ ଅଧର୍ମ, ସମାଜ ସଂସ୍କାର କଥା କହିଛନ୍ତି । ହଜାର ହଜାର ବର୍ଷର ସାହିତ୍ୟକୁ କଣ୍ଠସ୍ଥ କରି ଲୋକଭାଷାରେ ପ୍ରଦର୍ଶିତ କରିବା ତାଙ୍କର ମହାନ ମୂଲ୍ୟବୋଧକୁ ଦର୍ଶାଉଛି । ଓଡ଼ିଆ ଜନଜୀବନରେ ତାଙ୍କର ଦୁର୍ମୂଃଲ୍ୟ ବିଚାର ଯୁଗ ଯୁଗ ଧରି ଆମ ସମସ୍ତଙ୍କୁ ପ୍ରେରଣା ଦେବ ।

କେବଳ ଏତିକି ନୁହେଁ ଗଣକବିଙ୍କ ଭଳି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” କାଳଜୟୀ ଉକ୍ତି ଜାତିସଂଘର କାନ୍ଥରେ ଲିପିବଦ୍ଧ ହୋଇରହିଛି । ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ଜାତିପ୍ରଥା ବିରୋଧର କଥା କହିଛନ୍ତି । ମାଣବସା ଗୁରୁବାର ଓଡ଼ିଆ ସଂସ୍କୃତିର ସଂସ୍କାର । ସ୍ୱଚ୍ଛତାର ସଂସ୍କାର ଏଥିରେ ଅନ୍ତର୍ନିହିତ । ଘର ସ୍ୱଚ୍ଛ ରହିଲେ ସମସ୍ତେ ସୁସ୍ଥ ରହିବେ, ଏହା ହେଉଛି ଆମର ଧାର୍ମିକ ପରମ୍ପରାର ବାର୍ତ୍ତା । କାଞ୍ଚି ସହ ଓଡ଼ିଆ ଲୋକଙ୍କ ସମ୍ପର୍କ ରହିଛି । କାଞ୍ଚିରେ ଓଡ଼ିଶାର ପୁରାତନ ତାଳପତ୍ର ପୋଥି ଅଛି । ଓଡ଼ିଶାର ଲୋକମାନଙ୍କର ଚିନ୍ତାଧାରା ବ୍ୟାପକ ଓ ବିଶାଳ ଥିଲା । ସମାଜ କଲ୍ୟାଣ ପାଇଁ ଆଗଭର ହୋଇଥିଲା । କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ବାସ୍ତବରେ ଦେଖିବାକୁ ଗଲେ ଓଡ଼ିଆ ଲୋକଙ୍କ ଇଚ୍ଛାଶକ୍ତି ହିଁ ଅଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲା ବୋଲି ସେ କହିଛନ୍ତି ।

ଆଜିର ଏହି ମଞ୍ଚରେ ଉପସ୍ଥାପିତ ହୋଇଥିବା ଗଣକବିଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ଗୀତିନାଟ୍ୟ “ମହାଲକ୍ଷ୍ମୀ ପୂଜା”ର ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ନାଟକଟି ହୃଦୟସ୍ପର୍ଶୀ କହିବା ସହ ଶିଶୁ କଳାକାରମାନଙ୍କ ଅଭିନୟ ମନଛୁଆଁ ଓ ଜୀବନ୍ତ ଥିଲା ବୋଲି କହିଥିଲେ । ସେ ଆହୁରି କହିଥିଲେ, ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଝଲକ । ୨୦୩୬ରେ ଆମେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବାକୁ ଯାଉଛେ । ଏହି ସମୟରେ ସ୍କୁଲରେ ଗୀତିନାଟ୍ୟ ପରମ୍ପରାକୁ ବଢାଇବାକୁ ବଢିବ । ଏହି ଭବ୍ୟ ଐତିହାସିକ ସାରସ୍ୱତ ଓ ସାଂସ୍କୃତିକ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କରକମଳରେ ଗଣକବି ବୈଷ୍ଣବ ପାଣିଙ୍କ ଆତ୍ମ କାହାଣୀର ଓଡ଼ିଆ ଓ ଇଂରାଜୀ ଅନୁବାଦ ପୁସ୍ତକର ଲୋକାର୍ପିତ ହୋଇଥିବା ବେଳେ ଏହି ସାଧୁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.