କଟକ: ବିଜେପିର ବରିଷ୍ଠ ତଥା ପ୍ରମୁଖ ନେତା ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅନ୍ୟତମ । ସବୁବେଳେ ବିଜେପି ସପୋର୍ଟରେ ଶତମୁଖ ଥାନ୍ତି । ହେଲେ ଏଥର ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ କୁଆଡେ ଯେମିତି ହଜିଯାଇଥିଲେ ଜୟନାରାୟଣ । ସେ ଶପଥ ଗ୍ରହଣ ଉତ୍ସବ ହେଉକି କୌଣସି ଦଳୀୟ କାର୍ଯ୍ୟକ୍ରମ ଜୟନାରାୟଣଙ୍କ ଅନୁପସ୍ଥିତି ଅନେକ କିଛି ବୟାନ କରୁଥିଲା । ଦଳରେ ତାଙ୍କୁ ପ୍ରାଧାନ୍ୟ ଦିଆଯାଉନଥିବା ଅନେକ ମହଲରେ ଚର୍ଚ୍ଚା ହେଉଥିଲା । ହେଲେ ଏ ବିଷୟରେ କେବେ ବି ପଦୁଟିଏ କହିନାହାନ୍ତି ଜୟନାରାୟଣ ।
ହେଲେ ଗତକାଲି ଦିବଙ୍ଗତ ବିଜେପି ନେତା ସମୀର ଦେ ଙ୍କ ଶୋକ ସଭାରେ ଜୟନାରାୟଣ ବର୍ଷର ବର୍ଷର ମନର କୋହକୁ ଖୋଲି କି କହିଛନ୍ତି । ଯାହା ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଦଳ ପ୍ରତି ଥିବା ସମସ୍ତ ଅସନ୍ତୋଷକୁ ବଖାଣିବାକୁ ଯାଇ ଜୟନାରାୟଣ କହିଥିଲେ, ମୁଁ ଜଣେ ତଡ଼ାଖିଆ ଲୋକ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି। ଏବେ ବିଜେପିରୁ କୋଣଠେସା ହୋଇ ରହିଛି। ପୂର୍ବରୁ ସମୀର ଦେ’ଙ୍କ ସହ ଯାହା ଘଟିଥିଲା, ତାହା ଏବେ ମୋ ସହ ଘଟୁଛି। ସମୀରଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା ବରଂ ତାଙ୍କ ବିରୋଧରେ ଲୋକ ଲଗାଯାଉଥିଲା । ଏବେ ମଧ୍ୟ ମୋ ବିରୋଧରେ ଲୋକ ଲଗାଯାଉଛି। ମୋ ବିରୋଧରେ ଜଣେ ଲୋକ ନିଶ୍ଚିତ ରହିବ । ଏହା ପାର୍ଟିର ଯୋଜନା ବଦ୍ଧ କାର୍ଯ୍ୟକ୍ରମ ବୋଲି କହି ଦଳୀୟ ନେତା ଉପସ୍ଥିତିରେ ଦଳକୁ ଶାଣିତ ଆକ୍ରମଣ କରିଥିଲେ ଜୟନାରାୟଣ ।
ସେପଟେ ଜୟନାରାୟଣଙ୍କ ଏଭଳି ବୟାନକୁ ଫାଙ୍କି ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଜୟନାରାୟଣ ସେପରି କିଛି କହିନାହାନ୍ତି, ଗଣମାଧ୍ୟମର ବୁଝିବା ଭୁଲ୍ ହୋଇଛି ବୋଲି ଓଲଟା ଦାବି କରିଛନ୍ତି ମନମୋହନ । ଆହୁରି କହିଛନ୍ତି ଦଳରେ କାହା ପ୍ରତି ପାତରଅନ୍ତର କରାଯାଏ ନାହିଁ । ପାର୍ଟି ପାଇଁ ସମସ୍ତେ ସମାନ । ସମସ୍ତଙ୍କୁ ସମାନ ନ୍ୟାୟ ମିଳେ । କାର୍ଯ୍ୟକର୍ତ୍ତାଙ୍କୁ ଉଚିତ୍ ସମ୍ମାନ ମିଳେ ବୋଲି କହିଛନ୍ତି ।
ତେବେ କହିରଖୁଚୁ, ପ୍ରଥମ ଥଣ ପାଇଁ ବିଜେପି ଓଡିଶାରେ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ରେସରେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା । ଯଦି ବା ମୁଖ୍ୟମନ୍ତ୍ରୀ ପଦ ନକିଳିଳା ତାହାଲେ ନିହାତି ପାର୍ଟି ତାଙ୍କୁ କିଛି ଗୁରୁଦାୟିତ୍ବ ଦେବ ବୋଲି ସମସ୍ତଙ୍କ ନଜର ରହିଥିଲା । ହେଲେ ତାଙ୍କୁ କିଛି ବିଶେଷ ଅଧିକାର ନମିଳିବାରୁ ସରକାର ଗଢାହେବାର କିଛି ଦନ ପର୍ଯ୍ୟନ୍ତ ଦୂର ଦୂର ରହିଆସୁଥିଲେ ଜୟନାରାୟଣ ।