କାହିଁକି ବିଜେପି ଚାହୁଁନି ବିଜେଡି ଭାଙ୍ଗୁ?

ଭୁବନେଶ୍ବର: ରାଜ୍ୟରେ କ୍ଷମତାରେ ବିଜେପି ତ ବିରୋଧୀ ଦଳରେ ବିଜେଡି । ୨୪ବର୍ଷ ପରେ ହୋଇଛି ପଟ୍ଟ ପରିବର୍ତ୍ତନ । ସ୍ବାଭାବିକ ଭାବେ ବିଜେଡିକୁ ଆହୁରି ଦୁର୍ବଳ କରିବାକୁ ଚାହିଁବ ବିଜେପି । କୌଣସି ମତେ ବିଜେଡି ଭାଙ୍ଗିଲେ ସବୁଠୁ ଅଧିକ ଖୁସି ବିଜେପି ହେବା କଥା। ତେବେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପି ଚାହୁଁନି ବିଜେଡି ଭାଙ୍ଗୁ । ତାଙ୍କର ଏହି ବୟାନକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ବିଜେଡି ରାଜ୍ୟରେ କ୍ଷମତାରେ ରହିବା ବେଳେ ବି କେନ୍ଦ୍ର ବିଜେପି ସରକାରକୁ ନିରବ ସମର୍ଥନ ଦେଉଥିଲା । ହେଲେ ଏବେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ସହ ସମୀକରଣ ବଦଳିଛି । ତେବେ ପ୍ରଶ୍ନ ଉଠୁଛି, ବିଜେପି କାହିଁକି ଚାହୁଁନି ବିଜେଡି ଭାଙ୍ଗୁ?

ଜୟନାରାୟଣଙ୍କ ବୟାନ ପଛରେ କ’ଣ?

ବିଜେଡିକୁ ତାତ୍ସଲ୍ୟ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କହିଛନ୍ତି, ବିଜେପି ହୁଇସିଲ୍ ଫୁଙ୍କିଲେ ବିଜେଡି ଗୁଣ୍ଡ ହୋଇଯିବ । ଗୋଟିଏ ଲୋକ ରହିବେନି । ନବୀନ ପଟ୍ଟନାୟକ ବି ପଳେଇ ଆସିବେ । ହେଲେ ବିଜେପି ଚାହୁଁନି ବିଜେଡି ଭାଙ୍ଗୁ । ବିଜେପିର ଲକ୍ଷ୍ୟ ବିଜେଡିକୁ ଶୂନ କରିବା ନୁହେଁ । ତେବେ ଜୟନାରାୟଣଙ୍କ ବୟାନ ପଛର କାରଣ କଣ? କାହିଁକି ପ୍ରତିଦ୍ବନ୍ଦ୍ବୀ ବିଜେଡି ଭାଙ୍ଗିବା ଚାହୁଁନି ବିଜେପି? ବିଜେଡି ଶୂନ କରିବାକୁ କାହିଁକି ଚାହୁଁନି ଦଳ? ଦୁଇ ଦଳ ମଧ୍ୟରେ ରହିଛି କି ଅଦେଖା ବୁଝାମଣା?

ଏତେ କହିଲେ, ଆକ୍ସନ୍ ଶୂନ୍

ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କ ଟାର୍ଗେଟରେ ରହିଥିଲେ ଭିକେ ପାଣ୍ଡିଆନ । ପରୋକ୍ଷ ହେଉ କି ପ୍ରତ୍ୟେକ୍ଷରେ ହେଉ, ବିଜେପି ନେତା ପାଣ୍ଡିଆନଙ୍କୁ ହିଁ ଟାର୍ଗେଟ୍ କରୁଥିଲେ । ନିର୍ବାଚନ ସରିଲା, ବିଜେପି କ୍ଷମତାକୁ ଆସିଲା । ନୂଆ ନୂଆ ମନ୍ତ୍ରୀ ହୋଇଥିବା ବିଜେପି ନେତା ବି ହେଲିକପ୍ଟର, ଖଣି ଦୁର୍ନୀତି କଥା ଉଠାଇଲେ । ହେଲେ କେବଳ କଥାରେ ହିଁ ରହିଗଲା ସବୁ । ନା ତଦନ୍ତ ହେଲା ନା କାର୍ଯ୍ୟାନୁଷ୍ଠାନ । ଏମିତିକି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ନିର୍ବାଚନ ଆଗରୁ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ ବି, ସରକାରକୁ ଆସିବା ପରେ ତଦନ୍ତର ନାଁ ଉଠାଇଲେନି । ହଁ କରିବୁ ହଁ କରିବୁ କହି ଏବେ ସଂପୂର୍ଣ୍ଣ ନିରବ ବିଜେପି ନେତା ।

ଫେରିଲେ ସୁଜାତା, କୁଟ୍ଟେ, ଆଶିଷ ସିଂଙ୍କୁ ପୁରସ୍କାର

କେବଳ ପାଣ୍ଡିଆନ ନୁହଁନ୍ତି ମିଶନ ଶକ୍ତି ମହିଳାଙ୍କୁ ନିର୍ବାଚନରେ ବିଜେଡି ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସମାଲୋଚନା କରୁଥିଲା ବିଜେପି । ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ସେତେବେଳେ ମିଶନ ଶକ୍ତି ବିଭାଗ ମୁଖ୍ୟ ଥିବା ସୁଜାତା କାର୍ତ୍ତିକେୟନ ବି ବିଜେପି ଟାର୍ଗେଟରେ ରହିଥିଲେ । ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ ହେବା ପରେ ସୁଜାତାଙ୍କୁ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଦାୟିତ୍ବ ଦିଆଯାଇଥିଲା । ୬ମାସ ଛୁଟିରୁ ଫେରି ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗରେ ହିଁ ଦାୟିତ୍ବ ସମ୍ଭାଳିଲେ ସୁଜାତା । ସେପଟେ ବିଜେଡି ପକ୍ଷରୁ ବ୍ୟାଟିଂ କରୁଥିବା ନେଇ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କ ନାଁରେ ବି ବିଜେପି ଅଭିଯୋଗ କରିଥିଲା । ଏବେ ଆଶିଷ ସିଂଙ୍କୁ ଆଇଟିବିପି ଆଇଜି ତ କୁଟ୍ଟେଙ୍କୁ ବିଏସଏଫ ଆଇଜି ଭାବେ ନୂଆ ଦାୟିତ୍ବ ମିଳିଛି । ଦିନେ ବିଜେପି ବିରୋଧ କରୁଥିବା ଅଫିସରଙ୍କୁ ପୁରସ୍କାର କାହିଁକି ? ପାଣ୍ଡିଆନ ମାର୍କା ଦୁଇ ଆଇପିଏସଙ୍କୁ ପୁରସ୍କାର ପଛରେ କଣ ରହିଛି କାରଣ ?

ନେତା ନେଇଗଲେ, ତଥାପି ନିରବ

ରାଜ୍ୟସଭାରୁ ଜଣକ ପରେ ଜଣେ ନେତାଙ୍କୁ ନେଉଛି ବିଜେପି । ପୁଣି ନିଜ ଦଳରୁ ପ୍ରାର୍ଥୀ କରି ରାଜ୍ୟସଭା ପଠାଉଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇ ବି ଚୁପ୍ ବସିଛି ବିଜେଡି । ଦଳ ପକ୍ଷରୁ କୌଣସି ନିରପେକ୍ଷ ବ୍ୟକ୍ତି ବିଶେଷଙ୍କୁ ପ୍ରାର୍ଥୀ କରି ଚେକ୍ ଦେଇପାରନ୍ତା ବିଜେଡି । ଲୋକପ୍ରିୟ ଚେହେରାଙ୍କୁ ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ ଠିଆ କରାଇ ବିଜେପିକୁ ଅସୁବିଧାରେ ପକାଇ ପାରନ୍ତା । ହେଲେ ସେଭଳି କୌଣସି ତତ୍ପରତା ବିଜେଡି ଦେଖାଉନି । ଲାଗୁଛି ଯେମିତି ଏଭଳି ସ୍ଥିତିରେ ଅଖି ବୁଜି ଦେଉଛି ବିଜେଡି। ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେଡି କେନ୍ଦ୍ରର ଏନଡିଏ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଆସିଛି । ହେଲେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ଆଶା କରାଯାଉଥିଲା ବିଜେଡି ଏବେ ଜୋରଦାର ବିରୋଧ କରିବ । ହେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ବିଜେଡିର ଆଭିମୁଖ୍ୟ ନରମ ରହିଛି । ବିଜେପି ବିରୋଧରେ ଜୋରଦାର ବିରୋଧ କରୁନି ବିଜେଡି, ଠିକ୍ ସେହିଭଳି ବିଜେଡି ନେତାଙ୍କ ବିରୋଧରେ ତଦନ୍ତ  କରୁନାହାନ୍ତି ବିଜେପି ସରକାର । ଉଭୟ ଦଳ ମଧ୍ୟରେ କେଉଁଠି ନା କେଉଁଠି ଆପୋଷ ବୁଝାମଣା ରହିଥିବା ଚର୍ଚ୍ଚା ହେଉଛି । ଜୟନାରାୟଣଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ବଢାଇଛି ।

Leave A Reply

Your email address will not be published.