ମମତା, ସୁଜିତ…ବିଜେଡିରୁ ଆହୁରି ଯିବେ !

ଭୁବନେଶ୍ବର: ପୁଣି ଖସିବ କି ବିଜେଡିର ରାଜ୍ୟସଭା ଓ୍ବିକେଟ୍? ମମତା ମହନ୍ତ, ସୁଜିତ କୁମାରଙ୍କ ପରେ କିଏ? ବିଜେଡି ଛାଡି ବିଜେପିକୁ ଯିବେ କି ନେତା? ବିଜେପି ସହ ଯୋଗାଯୋଗରେ କିଏ? ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ । ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ ୨ରାଜ୍ୟସଭା ସାଂସଦ ବିଜେପିରେ ମିଶିବେ ବୋଲି କହିଛନ୍ତି ଅଶୋକ ମହାନ୍ତି । ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ବିଜେପି ଯୋଗାଯୋଗରେ ବହୁ ବିଜେଡି ବିଧାୟକ ଓ ସାଂସଦ ରହିଥିବା କହିଛନ୍ତି । ସେପଟେ ବିଜେଡି କହିଛି ରାଜନୀତିରେ ବହୁ ଗଳ୍ପ ରଚନା କରାଯାଏ ।

ବିଜେଡିରୁ ଖସିବ ଆହୁରି ଓ୍ବିକେଟ୍ !

ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ଆହୁରି ରାଜ୍ୟସଭା ସାଂସଦ ବିଜେଡିରୁ ବିଜେପିକୁ ଯିବେ । ଖୁବ୍ ଶୀଘ୍ର ୨ଜଣ ସାଂସଦ ଦଳ ଛାଡି ବିଜେପିରେ ମିଶିବେ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଜଣେ ବରିଷ୍ଠ ଓ ଜଣେ ଯୁବ ସାଂସଦ ବିଜେପିରେ ମିଶିବେ ବୋଲି ବଡ ଦାବି କରିଛନ୍ତି ଅଶୋକ ମହାନ୍ତି । ଖାଲି ସେତିକି ନୁହେଁ ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ବୋଲି ସେ କହିଛନ୍ତି । ରାଜ୍ୟ ବିଜେପି ପ୍ରଭାରୀ ମଧ୍ୟ ବିଜେପି ଯୋଗାଯୋଗରେ ବହୁ ବିଜେଡି ବିଧାୟକ ଓ ସାଂସଦ ରହିଥିବା ଦାବି କହିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ରାଜନୀତିରେ ଅନେକ ଚର୍ଚ୍ଚା, ବିତର୍କ ହୁଏ। ବହୁତ ଗଳ୍ପ ରଚନା ବି ସୃଷ୍ଟି କରାଯାଏ । ରାଜନୀତିରେ ଏହା ନୂଆ କଥା ନୁହେଁ ବୋଲି ପ୍ରସନ୍ନ କହିଛନ୍ତି ।

ସୁଜିତଙ୍କ ପରେ ବିଜେଡିରୁ କିଏ?

ଜଣେ ବରିଷ୍ଠ ଓ ଜଣେ ଯୁବ ସାଂସଦ ଆଗକୁ ବିଜେଡି ଛାଡି ବିଜେପିକୁ ଯିବେ ବୋଲି କହିଛନ୍ତି ଅଶୋକ ମହାନ୍ତି । ତେବେ ସେ କାହାକୁ ଇସାରା କରୁଛନ୍ତି? ମମତା ଓ ସୁଜିତଙ୍କ ପରେ ନିରଞ୍ଜନ ବିଶିଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଆଶଙ୍କା କରାଯାଉଥିଲା ନିରଞ୍ଜନ ବିଶି ବିଜେଡି ଛାଡିପାରନ୍ତି । ତାଙ୍କ ସହ ଶୁଭାଶିଷ ଖୁଣ୍ଟିଆଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଲା । ଅଶୋକ ମହାନ୍ତିଙ୍କ ଚାଞ୍ଚଲ୍ୟକର ବୟାନ ପରେ ପୁଣି ଉଭୟଙ୍କୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଏହାକୁ ଗୁଜବ ବୋଲି କହିଛନ୍ତି ବିଜେଡି ସାଂସଦ ନିରଞ୍ଜନ ବିଶି ।

ବିଜେପିର ରାଜ୍ୟସଭା ଅଫର

ମମତା ମହନ୍ତ ହୁଅନ୍ତୁ କି ସୁଜିତ କୁମାର । ଦଳବଦଳ ପରେ ବି ସାଂସଦ ପଦ ହାତରୁ ଯାଇନି । ମମତା ମହନ୍ତ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭା ଯାଇଛନ୍ତି ତ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର । ସଂଖ୍ୟା ଦୃଷ୍ଟିରୁ ସୁଜିତ ବି ରାଜ୍ୟସଭା ଯିବା ଏକପ୍ରକାର ନିଶ୍ଚିତ । ବିଜେଡିରୁ ଆସିଲେ ବିଜେପିରୁ ପୁଣି ରାଜ୍ୟସଭାକୁ ଗଲେ । ଅର୍ଥାତ ବିଜେଡି ଛାଡି କ୍ଷତି ନୁହେଁ ବରଂ ଲାଭରେ ରହିଲେ ଉଭୟ ମମତା ଓ ସୁଜିତ । ସେପଟେ ଉଭୟଙ୍କୁ ଉଦାହରଣ ଭାବେ ଦେଖାଇ ଆହୁରି ନେତା ଆମଦାନୀ କରିବାକୁ ଉଦ୍ୟମ କରୁଥାଇପାରେ ବିଜେପି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି କ୍ଷମତାରେ ରହିଥିବା ବେଳେ ବିଜେଡି ନେତା ବିଜେପିରେ ସାମିଲ ହେବାକୁ ଆଗ୍ରହ ଦେଖାଇବା ସ୍ବାଭାବିକ । ତେଣୁ ଅଶୋକ ମହାନ୍ତିଙ୍କ ବୟାନରେ ସତ୍ୟତା ଥାଇପାରେ ।

ସଂସଦରେ ଶୂନ ହୋଇଯିବ ବିଜେଡି !

ଲୋକସଭାରେ ଶୂନ ହୋଇଯାଇଥିବା ବିଜେଡିର ୯ରାଜ୍ୟସଭା ସାଂସଦ ରହିଥିଲେ । ଅଗଷ୍ଟରେ ମମତା ମହନ୍ତ ଓ ସେପ୍ଟେମ୍ବରରେ ସୁଜିତ କୁମାର ଦଳ ଛାଡିବା ପରେ ସଂଖ୍ୟା ୭ରେ ପହଞ୍ଚିଛି । ଯଦି ଆହୁରି ସାଂସଦ ବିଜେଡି ଛାଡି ବିଜେପିକୁ ଯାଆନ୍ତି, ତେବେ ଦୁର୍ବଳ ହୋଇଯିବ ବିଜେଡିର ଦିଲ୍ଲୀ ସ୍ବର । ବିଜେପି ବିଧାୟକ ଅଶୋକ ମହାନ୍ତି ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଅର୍ଥାତ କେଉଁଠି ନା କେଉଁଠି ବିଜେପି ବିଜେଡିର ଦିଲ୍ଲୀ ସ୍ବର ଦୁର୍ବଳ କରିବାକୁ ଉଦ୍ୟମ କରୁଛି । ଏଭଳି ସ୍ଥିତିରେ ବିଜେଡି କେମିତି ନିଜ ସାଂସଦଙ୍କୁ ଅଟକାଇବ, ସେନେଇ ରଣନୀତି କରିବା ଆବଶ୍ୟକ । ଅଶୋକଙ୍କ ଭବିଷ୍ୟବାଣୀ ସତ ହେଲେ କେବଳ ଓଡିଶାରେ ହିଁ ସୀମିତ ରହିଯିବ ବିଜେଡି ସ୍ବର ।

Leave A Reply

Your email address will not be published.