କେଜ୍ରିଓ୍ବାଲଙ୍କଠାରୁ ୧୧ବର୍ଷ ତଳର ବଦଲା !

ନୂଆଦିଲ୍ଲୀ: ଦିଲ୍ଲୀ ଦେଖିବ ପ୍ରତିଶୋଧର ଲଢେଇ ! ମାଆଙ୍କ ପରାଜୟର ବଦଲା ନେବେ ସନ୍ଦୀପ ! ଅରବିନ୍ଦ କେଜ୍ରିଓ୍ବାଲ ବନାମ ସନ୍ଦୀପ ଦୀକ୍ଷିତ! ରାଜଧାନୀରେ ବଡ଼ ଲଢେଇ, ବାଜିରେ ଲାଗିବ ସବୁ କିଛି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାରମ୍ପରିକ ସିଟ୍ ନୂଆଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ୨୦୧୩ରେ ଏଠାରୁ ଶିଲା ଦୀକ୍ଷିତଙ୍କୁ ମାତ୍ ଦେଇଥିଲେ କେଜ୍ରିଓ୍ବାଲ । ତେଣୁ ମାଆଙ୍କ ପରାଜୟର ପ୍ରତିଶୋଧ ନେବାକୁ ଉଦ୍ୟମ କରିବେ ସନ୍ଦୀପ ଦୀକ୍ଷିତ । ସିଟ୍ ପାଇଁ ଆପ୍ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେପି ପୂର୍ବତନ ସାଂସଦ ପ୍ରବେଶ ସାହିବ ସିଂହଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । କେଜ୍ରିଓ୍ବାଲ ବି ନିଜ ପାରମ୍ପରିକ ସିଟରୁ ଲଢିପାରନ୍ତି ବୋଲି କୁହାଯାଉଛି । ଏମିତି ହେଲେ ନୂଆଦିଲ୍ଲୀ ସିଟରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ କେଜ୍ରିଓ୍ବାଲଙ୍କୁ କଡା ଟକ୍କର ଦେବେ ।

୧୧ବର୍ଷ ତଳର ବଦଲା

୨୦୧୩ରେ ନୂଆଦିଲ୍ଲୀ ବିଧାନସଭା ସିଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ହରାଇଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ନିର୍ବାଚନ ପରେ କଂଗ୍ରେସ ସମର୍ଥନରେ ହିଁ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା ଆମ ଆଦମୀ ପାର୍ଟି । ୧୧ବର୍ଷ ପରେ କେଜ୍ରିଓ୍ବାଲଙ୍କୁ ଟକ୍କର ଦେବାକୁ ମଇଦାନରେ ଶିଲା ଦୀକ୍ଷିତଙ୍କ ପୁଅ ତଥା ପୂର୍ବତନ ସାଂସଦ ସନ୍ଦୀପ ଦୀକ୍ଷିତ । ୨୦୧୫ରେ କିରଣ ଓ୍ବାଲିଆ ତ ୨୦୨୦ରେ ରମେଶ ସବରଓ୍ବାଲଙ୍କୁ କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା କଂଗ୍ରେସ । ହେଲେ ଆପ୍ ମୁଖ୍ୟଙ୍କୁ ଟକ୍କର ଦେବାରେ ଉଭୟ ବିଫଳ ହୋଇଥିଲେ । ଏଥର ଆପ୍ ନୂଆଦିଲ୍ଲୀ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିନି । ଏପରିକି ମନୀଷ ସିସୋଦିଆଙ୍କ ପରି କେଜ୍ରିଓ୍ବାଲଙ୍କ ସିଟ ବି ବଦଳିପାରେ ବୋଲି କୁହାଯାଉଛି। ତେବେ କଂଗ୍ରେସ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିବା ପରେ କେଜ୍ରିଓ୍ବାଲ ନିଜ ସଟରୁ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଦୁଇଟି ସିଟରୁ ପ୍ରାର୍ଥୀ ହୋଇପାରନ୍ତି କେଜ୍ରିଓ୍ବାଲ ।

କଂଗ୍ରେସ ଦେଖାଇବ ଶିଲା ଦୀକ୍ଷିତ ମଡେଲ୍

କେଜ୍ରିଓ୍ବାଲଙ୍କ ସିଟରେ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରି ବଡ ସନ୍ଦେଶ ଦେଇଛି କଂଗ୍ରେସ । ବନ୍ଧୁତ୍ବପୂର୍ଣ୍ଣ ନୁହେଁ ଆରପାରର ଲଢେଇ ପାଇଁ ଦଳ ଅଣ୍ଟା ଭିଡିଛି । ଲୋକଙ୍କ ଆଗରେ କଂଗ୍ରେସ କେଜ୍ରିଓ୍ବାଲଙ୍କ ୧୦ବର୍ଷର କାମ ଓ ଶିଲା ଦୀକ୍ଷିତଙ୍କ ୧୫ବର୍ଷର କାମର ତୁଳନାତ୍ମକ ଚିତ୍ର ରଖିବ । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାମର ହିସାବ ଦେବାକୁ ପଡିବ ବୋଲି ସନ୍ଦୀପ ଦୀକ୍ଷିତ କହିଛନ୍ତି । ୨୦୧୪ପରଠୁ ଦିଲ୍ଲୀରେ କଂଗ୍ରେସର ଜଣେ ବି ସାଂସଦ ବା ବିଧାୟକ ଜିତିନାହାନ୍ତି । ତେବେ ଏଥର ନୂଆ ରଣନୀତି ସହ ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ ।

ଆକ୍ରାମକ ହେବ କଂଗ୍ରେସ

୨୦୧୩ରେ ଶିଲା ଦୀକ୍ଷିତଙ୍କୁ ଦୁର୍ନୀତିଗ୍ରସ୍ତ କହି ନିର୍ବାଚନ ଜିତିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ରାମଲୀଳା ମଇଦାନ ଆନ୍ଦୋଳନରୁ ଦୁର୍ନୀତି ବିରୋଧରେ ନାୟକ ହୋଇ ସାମନାକୁ ଆସିଥିଲେ କେଜ୍ରିଓ୍ବାଲ । ହେଲେ ଏବେ ସେ ନିଜେ ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇ ଫେରିଛନ୍ତି । ବିଭିନ୍ନ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ, ପରେ କ୍ଷମା ପ୍ରାର୍ଥନା କରିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରଥମ ଅପରାଧିକ ଅଭିଯୋଗ ଆଣିଥିବା ଚୌଧୁରୀ ଅନିଲ କୁମାରଙ୍କୁ ବି ପ୍ରାର୍ଥୀ କରିଛି କଂଗ୍ରେସ । ପଟପଡଗଞ୍ଜରୁ ଆପର ଅବଧ ଓଝାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଅନିଲ । ଏଥିରୁ ସ୍ପଷ୍ଟ ହେଉଛି, ଦିଲ୍ଲୀ ଲଢେଇକୁ ଆଦୌ ହାଲକାରେ ନେଉନି କଂଗ୍ରେସ । ଆପ ବିରୋଧରେ ଆକ୍ରାମକ ବି ହେବ, କେଜ୍ରିଓ୍ବାଲଙ୍କୁ ହିସାବ ବି ମାଗିବ ।

Leave A Reply

Your email address will not be published.